Categories: ଖେଳ

ପିଟି ଉଷାଙ୍କ ସହ ସିନ୍ଧୁଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୮।୮- କିମ୍ବଦନ୍ତୀ ଧାବିକା ପିଟି ଉଷା ୨୦୦୧ରେ ପି.ଭି. ସିନ୍ଧୁଙ୍କ ସହ ଫଟୋ ଉଠାଇଥିଲେ। ୨୦୦୦ ମସିହାରେ ଟ୍ରାକରୁ ଅବସର ନେଇଥିବା ପାୟୋଲି ଏକ୍ସପ୍ରେସ ଭାବେ ପରିଚିତ ଆଥ୍‌ଲେଟ ସେତେବେଳେ କଦାପି ଚିନ୍ତା କରି ନ ଥିଲେ କୋଳରେ ବସିଥିବା ଝିଅ ଦିନେ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନ ହେବ। ରବିବାର ସିନ୍ଧୁ ପ୍ରଥମ ଭାରତୀୟ ଭାବେ ବିଶ୍ୱ ବ୍ୟାଡ୍‌ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଏହି ଅବସରରେ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଉଷା ଉକ୍ତ ଫଟୋ ଟୁଇଟ୍‌ କରିଥିଲେ। ସେହି ଫଟୋ ଏବେ ଭାଇରାଲ ହୋଇଯାଇଛି। ୧୮ ବର୍ଷ ତଳର ଫଟୋ ସମ୍ପର୍କରେ ଉଷା କହିଛନ୍ତି, ସର୍ବଭାରତୀୟ ରେଲ୍‌ଓ୍ବେ ପ୍ରତିଯୋଗିତାବେଳେ ହାଇଦ୍ରାବାଦ୍‌ ଯାଇଥିଲି। ସିନ୍ଧୁଙ୍କ ବାପା ରମାନା ଜଣେ ଭଲିବଲ ଖେଳାଳି ଓ ରେଲ୍‌ଓ୍ବେ କର୍ମଚାରୀ ଥିଲେ। ସେଠାରେ ପହଞ୍ଚତ୍ ମୁଁ କୌଣସି ହୋଟେଲରେ ନ ରହି ସିନ୍ଧୁଙ୍କ ପରିବାର ସହ ରହିଥିଲି। ମୁଁ କଦାପି କୌଣସି ପରିବାର ସହ ରୁହେ ନାହିଁ। କିନ୍ତୁ ତାଙ୍କ ପରିବାରକୁ ଜାଣିଥିଲି। ଏଣୁ ତାଙ୍କ ପରିବାର ସହ ମୁଁ ୩/୪ ଦିନ ରହିଥିଲି। ସେତେବେଳେ ସିନ୍ଧୁ ବହୁତ ଛୋଟ ଥିଲେ। ମୁଁ ତାଙ୍କ ପରିବାର ସଦସ୍ୟଙ୍କ ସହ ବହୁତ ଫଟୋ ଉଠାଇଥିଲି। ହେଲେ ମୋ ପାଖରେ ଏହି ଫଟୋ ନ ଥିଲା। ୨୦୧୬ ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତିବା ପରେ ତାଙ୍କ ବାପା ମୋତେ ଫଟୋ ପଠାଇଥିଲେ। ସେହି ଦିନଠାରୁ ମୁଁ ଏହି ଫଟୋ ରଖିଛି ବୋଲି ଉଷା କହିଛନ୍ତି।

Share