ପିଠା ଖାଇ ୨ ଭାଇ ମୃତ, ମା’ ବାପା ଗୁରୁତର: ଫୁଡ ପଏଜନିଂ ହୋଇଥିବା ସନ୍ଦେହ

ଚନ୍ଦାହାଣ୍ଡି,୧୨।୨(ଡି.ଏନ.ଏ):  ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପିଠା ଖାଇ ଗୋଟିଏ ପରିବାର ୨ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ବାପା ଗୁରୁତର ହୋଇଛନ୍ତି। ତେବେ ପରିବାରର ୨ ଝିଅ ବଞ୍ଚିଯାଇଛନ୍ତି। ମୃତ ୨ ଶିଶୁପୁତ୍ର ହେଲେ ଅମୂଲ୍ୟ ଗୌଡ (୬) ଓ ଗିରିଧାରୀ ଗୌଡ(୪)।
ଦଣ୍ଡାମୁଣ୍ଡା ଗ୍ରାମର ବେଣୁଧର ଗୌଡ (୩୮), ସ୍ତ୍ରୀ ଶକୁନ୍ତଳା ଗୌଡ(୩୫), ଝିଅ କୁମାରୀ ଗୌଡ (୧୨), ତୁଳସୀ ଗୌଡ (୯), ପୁଅ ଅମୂଲ୍ୟ ଓ ଗିରିଧାରୀ ମଙ୍ଗଳବାର ରାତିରେ ଆଳୁ ବାଇଗଣ ତରକାରି ଖାଇ ଶୋଇଥିଲେ। ଭୋରୁ ବେଣୁଧର, ଶକୁନ୍ତଳା ଏବଂ ଦୁଇ ପୁଅ ଅମୂଲ୍ୟ ଓ ଗିରିଧାରୀଙ୍କ ପ୍ରବଳ ଝାଡା ହୋଇଥିଲା। ଅମୂଲ୍ୟ ଓ ଗିରିଧାରୀ ଅଚେତ ହୋଇଯାଇଥିଲେ । ବେଣୁଧର ଓ ଶକୁନ୍ତଳା ଗୁରୁତର ହୋଇ ପଡିଥିଲେ। ମା’, ବାପା ଓ ୨ ଭାଇଙ୍କ ଅବସ୍ଥା ଦେଖି କୁମାରୀ ଓ ତୁଳସୀ ପାଖ ପଡୋଶୀଙ୍କୁ ଡାକିଥିଲେ। ସେମାନେ ସମସ୍ତଙ୍କୁ ନେଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ୨ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର କଳ୍ପେସ ସୁନା କହିଥିଲେ। ବେଣୁଧର ଓ ଶକୁନ୍ତଳାଙ୍କ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୃତ ୨ ଶିଶୁପୁତ୍ରଙ୍କ ବ୍ୟବଚ୍ଛେଦ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଫୁଡ ପଏଜନିଂରୁ ଏପରି ହୋଇଥିବା ଡାକ୍ତର କଳ୍ପେସ ସୁନା କହିଛନ୍ତି। ତୁଳସୀ ଓ କୁମାରୀଙ୍କ କହିବା ଅନୁଯାୟୀ କିଛିଦିନ ତଳେ ଘରକୁ ଆଈ ପିଠା ଆଣିକି ଆସିଥିଲେ। ମଙ୍ଗଳବାର ମା’, ବାପା ଓ ୨ ଭାଇ ପିଠା ଖାଇଥିଲେ। କିନ୍ତୁ ସେମାନେ ଖାଇ ନ ଥିଲେ। ଆଳୁ-ବାଇଗଣ ତରକାରି ୨ ଭାଇ ଖାଇ ନ ଥିଲେ। ପିଠା ବିଷାକ୍ତ ହୋଇ ଯାଇଥିବାରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ନବରଙ୍ଗପୁର ମେଡିକାଲ ଏଡିଏମ(ପିଏଚ) ଚୌଧୁରୀ ଶୋଭାରାଣୀ ମିଶ୍ର, ମାଇକ୍ରୋ ବାୟୋଲୋଜିଷ୍ଟ ଅର୍ଦ୍ଧେନ୍ଦୁ ପ୍ରହରାଜ, ଡାକ୍ତର କଳ୍ପେସ ସୁନା, ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗୌରୀ ଶଙ୍କର ବେତ୍ସା, ଆୟୁଷ ଡାକ୍ତର ବସନ୍ତ କୁମାର ଷଡଙ୍ଗୀ, ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ, ଚନ୍ଦାହାଣ୍ଡି ଆଇଆଇସି ଅଭୟ ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ। ବେଣୁଧରଙ୍କ ଘର ବାହାରେ ପକାଯାଇଥିବା ଭାତ ଓ ତରକାରିର ନମୁନା ସଂଗ୍ରହ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଶୋଭାରାଣୀ କହିଛନ୍ତି। ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯାଇଛି।

Share