ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ହଟଗୋଳ

କୋଳିମାଟି,୧୦।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ବୁଧବାର ଅପରାହ୍ନରେ ହଟଗୋଳ ହୋଇଛି। ପ୍ରଥମ ଦିନ ଚାଉଳ ବଣ୍ଟନ କରାଯାଇଥିବାବେଳେ ଦ୍ୱିତୀୟ ଦିନରେ ଗଣ୍ଡଗୋଳ ହୋଇଛି। ସୂଚନାନୁଯାୟୀ, କୋଳିମାଟି ପଞ୍ଚାୟତ ସୂଚନାଫଳକରେ କୁମଡ଼, ଦରଖୋଳା, ନୂଆପଡ଼ା, ଟିକିରାକୁ ଚାଉଳ ଦିଆଯିବାକୁ ଲେଖାଥିଲା। ମାତ୍ର କେବଳ ଦରଖୋଳା ଓ କୁମୁଡ ଗ୍ରାମକୁ ଚାଉଳ ଦିଆଯାଉଥିଲା। ଫଳରେ ଚାଉଳ ନେବା ପାଇଁ ଆସିଥିବା ଟିକିରା, ନୂଆପଡ଼ା ଗ୍ରାମର ହିତାଧିକାରୀମାନେ ହଟଗୋଳ କରିଥିଲେ। ତେଣୁ ଚାଉଳ ବଣ୍ଟନ ବନ୍ଦ କରି ଦିଆଯାଇଛି। ଲୋକେ ରାଗି ପଞ୍ଚାୟତ କାନ୍ଥରେ ଲେଖାଥିବା ଫଳକକୁ ଲିଭାଇ ଦେଇଛନ୍ତି । କୋଳିମାଟି ପଞ୍ଚାୟତରେ ଆଦିବାସୀ ଶ୍ରେଣୀର ଲୋକମାନେ ବସବାସ କରୁଥିବାରୁ ଚାଉଳ ନ ମିଳିବାରୁ ଦୂରଦୁରାନ୍ତ ଜଙ୍ଗଲ ରାସ୍ତା ଦେଇ ଆସିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ।ଏନେଇ କୋଳିମାଟି ସରପଞ୍ଚ ଉତ୍ତରା ଧୀରଙ୍କୁ ପଚାରିବାରୁ ଲୋକମାନେ ପାଟିତୁଣ୍ଡ କରିବାରୁ ଚାଉଳ ଦେବା ବନ୍ଦ କରାଯାଇଛି। ପୁଣି ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ସେ ବିଡିଓଙ୍କୁ ଜଣାଇବେ ବୋଲି କହିଛନ୍ତି ।