ପିଡିଏସ୍‌ ବଣ୍ଟନରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ

ସମ୍ବଲପୁର,୧।୪ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ ଡାଉନ ଜାରି ରହିଛି । ଏହି ପରିପେକ୍ଷୀରେ ରାଜ୍ୟ ସରକାର ଭତ୍ତା ଓ ପିଡିଏସ ସାମଗ୍ରୀ ଆଗୁଆ ୪ ମାସର ଦେବାକୁ ଘୋଷଣା କରିଛନ୍ତି । ଏପରିକି ପ୍ରତ୍ୟେକ ହିତାଧିକାରୀଙ୍କ ଘରକୁ ଯାଇ ସାମାଜିକ ଦୂରତା ନିୟମ ବଜାୟ ରଖି ବଣ୍ଟନ କରିବାକୁ କଡା ନିର୍ଦ୍ଦେଶ ରହିଛି । ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ସମ୍ବଲପୁର ମହାନଗର ନିଗମରେ ପିଡିଏସ ସାମଗ୍ରୀ ବଣ୍ଟନ ଆରମ୍ଭ ହୋଇଛି । ହେଲେ ଅନେକ ସ୍ଥାନରେ ଏହି ନିୟମକୁ ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ସମ୍ବଲପୁର ମହାନଗର ନିଗମ ମାନେଶ୍ୱର ୪୦ ନମ୍ବର ୱାର୍ଡ ପିଡିଏସ ସାମଗ୍ରୀ ବଣ୍ଟନରେ ଏଭଳି ଅବସ୍ଥା ଦେଖା ଯାଇଛି । ବୁଧବାର ସକାଳ ୬ଟାରୁ ପିଡିଏସ ସାମଗ୍ରୀ ବଣ୍ଟନ କରିବାକୁ କେନ୍ଦ୍ର ଖୋଲା ଯାଇଥିଲା । ହେଲେ ଶହ ଶହ ହିତାଧିକାରୀ ଭିଡ ଜମାଇଥିଲେ । ଏହାକୁ ନେଇ ଅନେକ ଲୋକ ଫଟୋ ଓ ଭିଡିଓ ଉତ୍ତୋଳନ କରି ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ହେଲାପରେ ମହାନଗର ନିଗମ ଓ ଯୋଗାଣ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ । ହେଲେ ଲୋକମାନେ ସରକାରୀ କର୍ମଚାରୀଙ୍କ କଥା ଶୁଣିବାକୁ ନାରାଜ ଥିଲେ । ସାମାଜିକ ଦୂରତା ବଜାୟ ନ ରଖି ସାମଗ୍ରୀ ନେବାକୁ ଜିଦ କରି ରହିଥିଲେ । ଅପରାହ୍ନ ୧୨ଟା ପରେ ବନ୍ଦ କରି ଦିଆଯାଇଥିଲା । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ରଞ୍ଜନ ସେଠ କହିଛନ୍ତି ଯେ, ସାମାଜିକ ଦୂରତା ରଖି ବଣ୍ଟନ କରିବାର ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ ଯେ, ଗତ ସୋମବାର ସମ୍ବଲପୁର ମାନେଶ୍ୱର ସପ୍ତାହିକ ବଜାରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । କେତେଜଣ ପନି ପରିବା, ମାଛ, ମାଂସ ବ୍ୟବସାୟୀ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସାମାଜିକ ଦୂରତ୍ୱ ନିୟମ ପାଳନ କରୁ ନ ଥିବା ଦେଖା ଦେଇଥିଲା । ପରିବା ଦୋକାନରେ ରୁଣ୍ଡ ହୋଇ ଲୋକମାନେ କିଣୁଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିବା ପରେ ସ୍ବତନ୍ତ୍ର ଟିମ ପହଞ୍ଚି ଲୋକମାନଙ୍କୁ କଟକଣା ନିୟମ ଉପରେ ବୁଝାଇଥିଲେ । ବ୍ୟବସାୟୀମାନଙ୍କୁ ନିୟମ ପାଳନ କରିବାକୁ କଡା ତାଗିଦ କରାଯାଇଥିଲା।

Share