Categories: ଖେଳ

ପିତାଙ୍କ ଚା’ ଦୋକାନ, ମା’ ଚରାଉଛନ୍ତି ଗାଈ:ପୁଅ କ୍ରିକେଟ୍‌ରେ କଲେ କମାଲ୍‌

ଚେନ୍ନାଇ, ୯।୯: ଲଗାତର ଦ୍ୱିତୀୟଥର ପାଇଁ ତାମିଲନାଡୁ ପ୍ରିମିୟର୍‌ ଲିଗ୍‌ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି ଚେପକ୍‌ ସୁପର୍‌ ଗିଲିଜ୍‌। ବାମହାତୀ ବୋଲର୍‌ ଜି.ପେରିୟାସ୍ବାମୀଙ୍କ ଦମ୍‌ଦାର୍‌ ବୋଲିଂ ପ୍ରଦର୍ଶନ ବଳରେ ଚେପକ୍‌ ଦଳ ଏହି ଟୁର୍ନାମେଣ୍ଟରେ ଇତିହାସ ରଚିଛି। ଲାସିଥ୍‌ ମାଲିଙ୍ଗଙ୍କେ ବୋଲିଂ ଆକ୍ସନ ଭଳି ବୋଲିଂ କରୁଥିବା ପେରିୟାସ୍ବାମୀ ‘ପ୍ଲେୟାର୍‌ ଅଫ୍‌ ଦ ଫାଇନାଲ୍‌’ଏବଂ ‘ପ୍ଲେୟାର୍‌ ଅଫ୍‌ ଦ ଟୁର୍ନାମେଣ୍ଟ’ ବିବେଚିତ ହୋଇଥିଲେ। ଟୁର୍ନାମେଣ୍ଟରେ ସେ ମୋଟ ୨୧ଟି ଉଇକେଟ୍‌ ନେଇଥିବାବେଳେ ଫାଇନାଲରେ ୫ଟି ଉଇକେଟ ନେଇଥିଲେ। ଭବିଷ୍ୟତରେ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ତାମିଲନାଡୁର ସଲେମ ଜିଲାର ଚିନପ୍ପାମ୍ପଟ୍ଟୀ ରହୁଥିବା ପେରିୟାସ୍ବାମୀ। ଜଣେ କ୍ରିକେଟର୍‌ ହେବା ପାଇଁ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡିଥିଲା। ୭ ବର୍ଷ ବୟସରେ ପେରିୟାସ୍ବାମୀଙ୍କୁ ହାଡଫୁଟି ହୋଇଥିଲା। ଏଥିରେ ସେ ତାଙ୍କର ଗୋଟିଏ ଆଖି ହରାଇବସିଥିଲେ। ସ୍କୁଲ ଯିବାର ସାଙ୍ଗମାନେ ତାଙ୍କୁ ଚିଡାଉଥିଲେ। ବାଧ୍ୟ ହୋଇ ସେ ସପ୍ତମ ଶ୍ରେଣୀରୁ ପାଠପଢା ଛାଡିଦେଇଥିଲେ। ତାଙ୍କ ପିତା ଏକ ଛୋଟ ଚା’ ଦୋକାନ କରିଥିବାବେଳେ ମା’ ଗାଈ ଚରାନ୍ତି। ପେରିୟାସ୍ବାମୀ ଛୋଟ ବେଳୁ କ୍ରିକେଟ୍‌ ଖେଳିବା ପ୍ରତି ଆକୃଷ୍ଟ ହୋଇଥିଲେ ମଧ୍ୟ ତାଙ୍କୁ ଟ୍ରେନିଂ ଦେବା ପାଇଁ ମାତାପିତାଙ୍କ ପାଖରେ ଟଙ୍କା ଅଭାବ ଥିଲା। କିନ୍ତୁ ସେ ଆଶା ଛାଡି ନ ଥିଲେ। ସ୍ଥାନୀୟ କ୍ଲବରେ ସ୍ଥାନ ପାଇବା ପରେ ତାଙ୍କୁ କିଛି ସାହାଯ୍ୟ ମିଳିଯାଇଥିଲା। ପରେ ଚେପକ୍‌ ସୁପର୍‌ ଗିଲିଜ ସ୍ଥାନ ପାଇବା ପରେ ସେ କିଛି ପାରିଶ୍ରମିକ ପାଇଥିଲେ। ଏବେ ତାମିଲନାଡୁ ସରକାର ମଧ୍ୟ ତାଙ୍କୁ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି।

Share