Advertisement

ପିତାଙ୍କ ଶେଷ ଇଚ୍ଛା ପୂରଣ କରିପାରିଲେନି ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ୬୭ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଛି। ଦୀର୍ଘ ଦୁଇ ବର୍ଷ ହେବ କ୍ୟାନସରରେ ପୀଡିତ ଥିବା ରିଷି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁକୁ ସହଜରେ ବଲିଉଡ୍‌ ତଥା କପୁର ପରିବାର ଗ୍ରହଣ କରିପାରୁନାହିଁ। ବିଦେଶରୁ ଚିକିତ୍ସିତ ହୋଇ ଫେରିବା ପରେ ସବୁଥିଲା ଠିକ୍‌ଠାକ୍‌। ହେଲେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଉ ଗୁରୁବାର ଏପ୍ରିଲ ୩୦ ତାରିଖରେ ରିଷି ହସ୍ପିଟାଲରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଖବର ପାଇବା ପରେ ଦିଲ୍ଲୀରେ ରହୁଥିବା ଝିଅ ରିଦ୍ଧିମା ପିତାଙ୍କ ଶେଷ ଦର୍ଶନ ପାଇଁ ସରକାରଙ୍କ ଅନୁମତି ମାଗିଥିଲେ। କାରଣ ଏବେ କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ଯାତାୟାତ ବନ୍ଦ ରହିଛି। ଅନ୍ୟପଟେ ଆଲୋଚନା ହେଉଛି କି ରିଷିଙ୍କ ଶେଷ ଇଚ୍ଛା ପୂରଣ କରିପାରିଲେ ନାହିଁ ପୁଅ ରଣବୀର। ଏକଦା ଏକ ସାକ୍ଷାତ୍‌କାରରେ ରିଷି କହିଥିଲେ ମୃତ୍ୟୁ ପୂର୍ବରୁ ସେ ରଣବୀଙ୍କ ବିବାହ ଦେଖିବାକୁ ଚାହାଁନ୍ତି। ହେଲେ ଏହି ଆଶା ତାଙ୍କର ଆଶାରେ ହିଁ ରହିଗଲା। ରଣବୀର ବିବାହ ନ କରିଥିବାରୁ ସେ ତାଙ୍କ ପିତାଙ୍କ ଶେଷ ଇଚ୍ଛା ପୂରଣ କରିପାରିଲେ ନାହିଁ ବୋଲି କୁହାଯାଉଛି। କିଛିଦିନ ହେବ ଯଦିଓ ରଣବୀର ଓ ଆଲିଆ ଭଟ୍ଟଙ୍କ ସମ୍ପର୍କକୁ ନେଇ ଆଲୋଚନା ହେଉଥିଲା ରିଷି କିନ୍ତୁ ଚାହୁଁଥିଲେ ରଣବୀର ତାଙ୍କ ପସନ୍ଦର ଝିଅକୁ ବିବାହ କରନ୍ତୁ ଏଥିରେ ସେ ଖୁସି ହେବେ। ଏକ ସାକ୍ଷତ୍‌କାରରେ ରିଷି କହିଥିଲେ ମୁଁ ୨୭ ବର୍ଷ ବୟସରେ ବିବାହ କରିଥିଲି ଆଉ ରଣବୀରଙ୍କୁ ୩୫ ବର୍ଷ ହେଲାଣି। ତେଣୁ ମୁଁ ମୃତ୍ୟୁ ପୂର୍ବରୁ ନାତି ନାତୁଣୀଙ୍କ ସହ କିଛି ସମୟ କାଟିବାକୁ ଇଚ୍ଛା ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share