ପିପିଇ କିଟ୍‌ ସିଲେଇ କରୁଛନ୍ତି ୯ ବର୍ଷର ଝିଅ

ସେରେମ୍ବାନ୍‌: କରୋନା ଯୁଦ୍ଧରେ କୋଭିଡ୍‌ ଯୋଦ୍ଧାଙ୍କୁ ଲୋକେ ସମ୍ମାନ ଜଣାଇବାକୁ ସବୁଆଡ଼େ କୁହାଯାଉଛି। ତେବେ ଏହି କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ ଏବେ ସୋସିଆଲ୍‌ ମିଡିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଝିଅଟିର ନାଁ ହେଉଛି ନୁର୍‌ ଆଫିଆ କିଷ୍ଟିନା ଜାମଜୁରୀ। ମାଲେସିଆର ଏହି ଛୋଟ ଝିଅଟି ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିପିଇ କିଟ୍‌ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।
ନୁର ଆଫିଆ କରୋନା ଭାଇରସ୍‌ ସମ୍ପର୍କରେ ଜାଣିବା ପରେ ଡାକ୍ତରମାନେ କିଭଳି ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କୁ ଚିକିତ୍ସା କରୁଛନ୍ତି, ଗଣମାଧ୍ୟମରୁ ଜାଣି ପାରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳର ଏକ ଡାକ୍ତରଖାନାରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିପିଇ କିଟ୍‌ର ଆବଶ୍ୟକତା ଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ନିଜେ ଏହି କାମ କରିବା ପାଇଁ ଆଗେଇ ଆସିଥିଲେ। କିନ୍ତୁ ଏତେ କମ୍‌ ବୟସର ଝିଅ ଏହି କାମ କରିପାରିବ କି ନାହିଁ, ସେନେଇ ଡାକ୍ତରଖାନା କର୍ମଚାରୀମାନେ ସନ୍ଦେହ କରିଥିଲେ। ମାତ୍ର ନୁର୍‌ ସେମାନଙ୍କୁ ଦୃଢ ଆଶ୍ୱାସନା ଦେବା ସହ କାମ ଆରମ୍ଭ କରିଥିଲେ। ୫ ବର୍ଷ ବୟସରୁ ସେ ପୋଷାକ ସିଲେଇ କରିବା ଶିଖିଥିଲେ। ତେଣୁ ବେଶ୍‌ ସହଜରେ ସେ ଏହି ପୋଷାକ ତିଆରି କରି ଡାକ୍ତରଖାନାକୁ ଦେଇଥିଲେ। ଏବେ ସେ ଅନ୍‌ଲାଇନ୍‌ରେ ନିଜ କ୍ଲାସ୍‌ ଶେଷକରିବା ପରେ ଡାକ୍ତରଙ୍କ ପାଇଁ ପିପିଇ କିଟ୍‌ ସିଲେଇ କରି ଯୋଗାଉଛନ୍ତି। ଏବେ ସୁଦ୍ଧା ସେ ମୋଟ ୧୩୦ଟି ପିପିଇ କିଟ୍‌ ତିଆରି କରି ସାରିଲେଣି। ଏବେ ବି ଏହି କାମରେ ଲାଗିଛନ୍ତି ସେ।

Share