ପିପିଇ ଖରିଦକୁ ମନ୍ତ୍ରିସ୍ତରୀୟ ମଞ୍ଜୁରୀ

ଭୁବନେଶ୍ୱର, ୩।୪(ବ୍ୟୁରୋ): କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ତୁରନ୍ତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) ଖରିଦ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରିସ୍ତରୀୟ କମିଟି ମଞ୍ଜୁରୀ ଦେଇଛି। ଭିଡ଼ିଓକନଫରେନ୍ସିଙ୍ଗ ଦ୍ୱାରା ଅନୁଷ୍ଠିତ ଏହି ବୈଠକରେ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା।

ମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ପିପିଇ କିଣାଯିବା ସହିତ ରାଜ୍ୟରେ କିଭଳି ଅଧିକ ସ୍ଥାନରେ କରୋନା ସଂକ୍ରମଣ ପରୀକ୍ଷା ହେବ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ଆର.ଏମ.ଆର. ସି ଓ ଏମସ୍ ଏବଂ କଟକର ଏସସିବିରେ ଏହି ପରୀକ୍ଷା ହେଉଛି। ଆଗାମୀ ଦିନରେ ବୁର୍ଲାର ଭୀମସାର, ବ୍ରହ୍ମପୁରର ଏମକେସିଜି, ରାଉରକେଲାର ଆରଜିଏଚ ସହିତ ରାୟଗଡ଼ା ଓ କଳାହାଣ୍ଡିରେ ଯେଭଳି ଏହି ପରୀକ୍ଷା ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଛି।

ସେହିଭଳି ବର୍ତ୍ତମାନ ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ହୋଇଥିବାବେଳେ କଟକର ଅଶ୍ବିନୀ ହସ୍ପିଟାଲରେ ମଧ୍ୟ କୋଭିଡ ହସ୍ପିଟାଲ ହୋଇଛି। ରାଉରକେଲାର ହାଇଟେକ ହସ୍ପିଟାଲ ସହିତ ମିଳିତ ଭାବେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ବୈଠକରେ ସ୍ଥିର ହୋଇଛି। ଏଥି ସହିତ ଆଗାମୀ ଦିନରେ ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡି ପିଲାଙ୍କୁ ଘରେ ଖାଦ୍ୟ ଯୋଗାଇବା ପାଇଁ ପଦକ୍ଷେପ ନିଆଯାଇଥିବାବେଳେ ଏହାକୁ ଆଗାମୀ ଏପ୍ରିଲ ଶେଷ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସ୍ଥିର ହୋଇଛି। ଆଜି ବୈଠକରେ ଏହିସବୁ ନିଷ୍ପତ୍ତି ହୋଇଥିବା ବେଳେ ଆଗାମୀ ଦିନରେ ପୁଣି ବୈଠକ ବସି ଆବଶ୍ୟକ ଅନୁଯାୟୀ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି।

Share