Advertisement

ପିପିଲିଆ ପଞ୍ଚାୟତ ଉନ୍ନୟନ ପାଇଁ ଆସିଥିବା ୨୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ସରପଞ୍ଚ ଅଟକ, ପିଇଓ ଫେରାର

କେନ୍ଦୁଝର, ୧୧।୧୦(ସ୍ବ.ପ୍ର.): ଘଟଗାଁ ବ୍ଲକ ପିପିଲିଆ ପଞ୍ଚାୟତରେ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଓ ଚତୁର୍ଦ୍ଦଶ କେନ୍ଦ୍ର ଅର୍ଥ କମିଶନ ଟଙ୍କା ହେରଫେର ଅଭିଯୋଗରେ ଘଟଗାଁ ପୋଲିସ ଶୁକ୍ରବାର ଜଣେ ସରପଞ୍ଚଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଫେରାର ଥିବା ଜଣାପଡିଛି। ପିଇଓ ବଦଳି ସମୟରେ ଦାୟିତ୍ୱ ହସ୍ତାନ୍ତର ବେଳେ ପାଖା ପାଖି କୋଡିଏ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରୁ ସେମାନଙ୍କ ବ୍ୟକ୍ତି ଗତ ଖାତାକୁ ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା। ଏହାକୁ ଭିତ୍ତି କରି ଥାନାରେ ଏତଲା ଦିଆଯାଇଛି ବୋଲି ଘଟଗାଁ ବିଡିଓ ତ୍ରିଲୋଚନ ମହାନ୍ତି କହିଛନ୍ତି। ଏହି ଟଙ୍କା ପଞ୍ଚାୟତ ଅଞ୍ଚଳର ବିକାଶ ପାଇଁ ଆସିଥିଲା। ଏହି ଟଙ୍କାକୁ ଖର୍ଚ୍ଚ ନ କରି ହେରଫେର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଜଣାପଡିବା ପରେ ପିଇଓ ଫେରାର ହୋଇଯାଇଥିବାରୁ ପୋଲିସ ଧରିବାକୁ ଉଦ୍ୟମ କରୁଛି। ତେବେ ସରପଞ୍ଚଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଅଧିକ ତଦନ୍ତ ହେଲେ ବହୁ ଘଟଣା ପଦାକୁ ଆସିବ। ଉକ୍ତ ପିଇଓଙ୍କ ବିରୋଧରେ ବହୁ ଅଭିଯୋଗ ହୋଇ ଆସୁଥିଲେ ହେଁ କିପରି ପୁଣି ପଞ୍ଚାୟତ ଦାୟିତ୍ୱ ଦିଆଯାଇଥିବା ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share