ପିପିଲିରେ କାଉ ମଡ଼କ

ପିପିଲି,୨୪ା୩(ସ୍ବ.ପ୍ର/ ଡି.ଏନ୍‌.ଏ.)- ମହାମାରୀ କରୋନାକୁ ନେଇ ପିପିଲି ଅଞ୍ଚଳରେ ଲୋକେ ଭୟଭୀତ ଥିବାବେଳେ ସୋମବାର କେତେକ କାଉ ମରିପଡ଼ିଥିବା ଦେଖିବାକୁ ମିଳିଛି। ଗତ ୩ / ୪ଦିନ ଭିତରେ ଶହଶହ କାଉ ମରି ଚାରିଆଡ଼େ ପଡ଼ିଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ପିପିଲି ବ୍ଲକ ଆଠବାଟିଆ ଗ୍ରାମରେ ଗତ କିଛିଦିନ ଧରି କାଉ ମରିପଡୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା ଗଛରେ ବସିଥିବା କାଉ ମୁଣ୍ଡ ବଲାଇ ତଳେ ପଡି ଛଟପଟ ହୋଇ ମରିଯାଉଛନ୍ତି। ଏହିଭଳି ପ୍ରତିଦିନି ୪୦ରୁ ଅଧିକ କାଉ ମରିପଡୁଥିବାବେଳେ ମଲା କାଉ ପଚି ପରିବେଶ ଦୂଷିତ ହେବାରେ ଲାଗିଛି। ଖବରପାଇ ପିପିଲି ପ୍ରାଣୀ ଚିକିତ୍ସକ ଶରତ କୁମାର ବେହେରା ଘଟଣାସ୍ଥଳ ପହଞ୍ଚତ୍ ମୃତ କାଉ ଦେହରୁ ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିଲେ ଏହାର ପ୍ରକୃତ କାରଣ ଜଣାପଡିବ। ତେବେ କାଉ ମଡକ ପଛରେ ବାର୍ଡଫ୍ଲୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।