Categories: ପୁରୀ

ପିପିଲିରେ ଚାଲିଲା ଅସ୍ଥାୟୀ ହାଟ

ପିପିଲି,୨୮ା୩(ସ୍ବ.ପ୍ର./ ଡି.ଏନ୍‌.ଏ.) ପିପିଲି ହାଟରେ ସାମାଜିକ ଦୂରତ୍ୱ ରହୁ ନ ଥିବାରୁ ଏହାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। କିନ୍ତୁ ଶୁକ୍ରବାରଠାରୁ ସ୍ଥାନୀୟ ଇନ୍ଦିରା ମୈଦାନ (ପଦାପଡିଆ)ଠାରେ ଅସ୍ଥାୟୀ ଭାବେ ପିପିଲି ସାପ୍ତାହିକ ହାଟ ଖୋଲିଛି। ତେବେ ସପ୍ତାହର ସୋମବାର ଓ ଶୁକ୍ରବାର ଦିନ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ସ୍ଥାନୀୟ ତହସିଲଦାର ସପନ କୁମାର ନନ୍ଦ, ପିପିଲି ଥାନା ଅଧିକରୀ ଗୌରାଙ୍ଗ ଚରଣ ପୃଷ୍ଟି, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା, ସିଦ୍ଧେଶ୍ୱରଦେବ ବ୍ୟବସାୟ ସଂଘର ସଭାପତି ଧିରେନ୍ଦ୍ର ସାମାନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଅସ୍ଥାୟୀ ପିପିଲି ହାଟକୁ ପରିଚାଳନା କରିଥିଲେ। ରାଜ୍ୟ ସରକାରଙ୍କ ନିୟମ ମାନି ବ୍ୟବସାୟୀମାନଙ୍କ ସ୍ଥାନର ବ୍ୟବଧାନ ୧୦ଫୁଟ ରଖାଯାଇଥିବାବେଳେ ଗ୍ରାହକମାନେ ଠିଆ ହେବା ସ୍ଥାନକୁ ଧଳା ଗାର ପକାଯାଇ ସାମାଜିକ ଦୂରତା ରକ୍ଷା କରାଯାଇଥିଲା। ସକାଳୁ ହାଟରେ ଜନସମାଗମ ଅଧିକା ହେବାରୁ ପିପିଲି ପୋଲିସ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।