ପିପି କିଟ୍‌ ଯୋଗାଣ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

କଟକ ଅଫିସ,୧୭।୩:ଏସ୍‌ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିସହ ପ୍ରତିଦିନ ଅନ୍ୟ ରୋଗୀମାନଙ୍କ ଭିଡ ମଧ୍ୟ ବୃଦ୍ଧି ପାଉଛି। ଏଣୁ କାର୍ଯ୍ୟରତ ଡାକ୍ତରମାନେ କରୋନା ଭୁତାଣୁକୁ ନେଇ ଭୟରେ ଥିବାବେଳେ ସେମାନଙ୍କୁ ପିପି କିଟ୍‌ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ସଂପ୍ରତି ଏହି ମେଡିକାଲ୍‌ରେ ୭୦୦ ଜୁନିୟର ଏବଂ ୩୦୦ ସିନିୟର୍‌ ରେସିଡେଣ୍ଟ ଡାକ୍ତର କାର୍ଯ୍ୟ କରୁଛନ୍ତି। ସେମାନେ ଅଧିକ ସମୟ ପର୍ଯ୍ୟନ୍ତ ଚିକିତ୍ସାରେ ନିୟୋଜିତ ହେଉଛନ୍ତି। ଏସ୍‌ସିବିରେ ଭର୍ତ୍ତି ହେଉଥିବା ଅନ୍ୟ ରୋଗୀମାନଙ୍କ ମଧ୍ୟରେ କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ରହିଛି। ଫଳରେ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସୁରକ୍ଷା ପାଇଁ ପିପି କିଟ୍‌ର ଆବଶ୍ୟକତା ରହିଛି। ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜୁନିୟର ଡାକ୍ତର ଆସୋସିଏଶନ ପକ୍ଷରୁ ଏସ୍‌ସିବି ମେଡିକାଲ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖାଯାଇଥିବା ପୂର୍ବତନ ସଭାପତି ଦୀପକ କୁମାର ସାମଲ କହିଛନ୍ତି। ଡାକ୍ତରଙ୍କ ସୁରକ୍ଷା ପାଇଁ ଏନ୍‌ ୯୫ ମାସ୍କ, ସାବୁନ, ସାନିଟାଇଜର, ଗ୍ଲୋବ୍‌ସ ଏବଂ ଗାଉନ ମେଡିକାଲରେ ମହଜୁଦ ରଖିବାକୁ ଜୁନିୟର ଡାକ୍ତର ଆସୋସିଏଶନର ରାଜ୍ୟ ସଭାପତି ଡା. ଆଶିଷ କୁମାର ମିଶ୍ର ଦାବି କରିଛନ୍ତି। ଆବଶ୍ୟକ ଉପକରଣଗୁଡିକ ପ୍ରଦାନ ନ କରାଗଲେ ଚିକିତ୍ସା କାର୍ଯ୍ୟରେ ଅନେକ ବାଧା ସୃଷ୍ଟି ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏ ନେଇ ଅଧ୍ୟକ୍ଷ ପ୍ରଫେସର ଡା. ଜୟଶ୍ରୀ ମହାନ୍ତି କହିଛନ୍ତି, ଜୁନିୟର ଡାକ୍ତରମାନେ ଚିଠି ଦେଇଛନ୍ତି। ଦାବିଗୁଡିକ ସମ୍ପର୍କରେ ଅଧୀକ୍ଷକଙ୍କ ସହ ଆଲୋଚନା କରାଯାଇଛି। ମଙ୍ଗଳବାର ଆବଶ୍ୟକ ସାମଗ୍ରୀଗୁଡିକ ଯୋଗାଇ ଦିଆଯିବା ଉପରେ ପଦକ୍ଷେପ ନିଆଯିବ।

Share