ପିଲାଙ୍କୁ କରନ୍ତୁ ବୁଦ୍ଧିଆ

ସବୁ ଅଭିଭାବକ ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି। ହେଲେ ଏଥିପାଇଁ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ହୋଇଥାଏ। ଜାଣି ରଖନ୍ତୁ ସେ ସମ୍ପର୍କରେ…

ପ୍ରଥମ କଥା ହେଲା ଘରେ ପିଲା ପାଇଁ ଏକ କମ୍ଫର୍ଟେବଲ୍‌ ଏବଂ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରନ୍ତୁ। ଝଗଡା, ବଡପାଟିରେ ଗପିବା, ଅଧିକ ଶବ୍ଦ କରିବା ଆଦିଠୁ ଦୂରେଇ ରୁହନ୍ତୁ। ସବୁବେଳେ ପିଲା ପ୍ରତି ଧ୍ୟାନ ରଖନ୍ତୁ ଏକା ଛାଡନ୍ତୁ ନାହିଁ। ପିଲା କାନ୍ଦିବା ମାତ୍ରେ ସଙ୍ଗେ ସଙ୍ଗେ ତା’ ପାଖକୁ ଯାଆନ୍ତୁ। କୌଣସି କ୍ଷେତ୍ରରେ ସେ ଯେପରି ନ ଡରେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଏସବୁର ନକରାତ୍ମକ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଏ ସମୟରେ ପିଲାକୁ ନ ଡରିବା ଲାଗି ବୁଝାନ୍ତୁ ସେ ମାନସିକ ସ୍ତରରେ ସୁଦୃଢ ହେବ। ତା’ଛଡା ଅଭିଭାବକ ପିଲା ପାଖରେ ରହିବା ଦ୍ୱାରା ସେ ସର୍ବଦା ନିଜକୁ ସୁରକ୍ଷିତ ମନେ କରୁଥିବାରୁ ମସ୍ତିଷ୍କ ସ୍ଥିର ରହି ଅଧିକ ବିକାଶ ହେବାରେ ସାହାଯ୍ୟ କରେ।
ସେ ଟିକେ ଜାଣିବା ତଥା ବୁଝିବା ସ୍ତରକୁ ଆସିଲେ ଛୋଟ ଛୋଟ ଶୀକ୍ଷଣୀୟ ଗପ ଶୁଣାନ୍ତୁ। ବଡ ବଡ ରଙ୍ଗୀନ ଚିତ୍ର ଥିବା ବହି ଦେଖାନ୍ତୁ। ପଶୁ ପକ୍ଷୀଙ୍କ ଚିତ୍ର ଦେଖାଇ ସେମାନେ କିପରି ବୋବାନ୍ତି ମଧ୍ୟ କୁହନ୍ତି। ସବୁର ସ୍ପେଲିଂ ମଧ୍ୟ କୁହନ୍ତୁ। ଏହାଦ୍ୱାର ପିଲାର ଆଗ୍ରହ ବଢିବ ଏବଂ ସେ ଅଧିକରୁ ଅଧିକ ମନେ ରଖିପାରିବ।
ପିଲାକୁ ଖେଳିବା ଆରମ୍ଭ କରିବା ପରେ କେବଳ ସଫଟଏଜ୍‌ କିମ୍ବା ଗାଡି ଆଦି ନ ଦେଇ ପଜଲ୍‌, ଲେଟର ଜଏଣ୍ଟ ଭଳି ଖେଳନା ଦିଅନ୍ତୁ ଯାହାଦ୍ୱାରା ସେ ଖେଳର ଆନନ୍ଦ ନେବା ସହ ବୁଦ୍ଧି ଖଟାଇବା ଦ୍ୱାରା ମାନସିକ ସ୍ତରରେ ବିକାଶ ହୋଇପାରିବ।
– ପିଲାଙ୍କର ଦିନକୁ ୩ ଥର ବଡି ମସାଜ୍‌ କରନ୍ତୁ। ଏହାଦ୍ୱାରା ଶୀରରର ବୃଦ୍ଧି ସହ ଆରାମ ଲାଗିଥାଏ। ଯାହାକି ପିଲାର ମସ୍ତିଷ୍କ ପାଇଁ ମଧ୍ୟ ଲାଭ ଦାୟକ। ବିଶେଷ କରି ସମୟପୂର୍ବରୁ ଜନ୍ମ ହୋଇଥିବା ବା ପ୍ରିମ୍ୟାଚର୍‌ ପିଲାଙ୍କ ବୌଦ୍ଧିକ ବିକାଶ ଲାଗି ଏହା ବେଶ୍‌ ଉପାଦେୟ।
ଖାଇବା ବେଳେ ଶିଶୁ କାନ୍ଦିଲେ ରାଗିଯାଇ ଜବରଦସ୍ତ ଖୁଆଇବା କିମ୍ବା ମାରିବା ଭଳି କାର୍ଯ୍ୟ ଆଦୌ କରନ୍ତୁ ନାହିଁ। ନଚେତ୍‌ ଏହାର ନକରାତ୍ମକ ପ୍ରଭାବ ପିଲାର ମାନସିକ ସ୍ତରରେ ପଡିଥାଏ। ତେଣୁ ପିଲାକୁ ଖୁଆଇବା ବେଳେ ଏକ ହସି ଖେଳି ଖୁଆନ୍ତୁ। ଖାଦ୍ୟଗୁଡିକର ନାଁ ବଡ ପାଟିରେ କୁହନ୍ତୁ ଏବଂ ଏପରି ମଜାରେ ମଜାରେ ଖୁଆନ୍ତି ଯେମିତି ସେ ନିଜେ ଖୁସିରେ ଖାଉଥିବା ଅନୁଭବ କରିବ। ଏହାଦ୍ୱାରା ପିଲା ଖାଦ୍ୟର ନାଁ ମନେ ରଖିବା ସହ ମସ୍ତିଷ୍କ ସକ୍ରୀୟ ରହିବ।