ବଅଁରପାଳ, ୧୨।୫- ଦୁର୍ଘଟଣାରେ ସ୍ବାମୀ ଆଖିବୁଜିବା ବେଳେ କୋଳରେ ଥିଲେ ଦୁଇ କୁନି ସନ୍ତାନ। ନୂଆଣିଆ ଘର ଖଣ୍ଡିକୁ ଛାଡ଼ିଦେଲେ ଆଉ କିଛି ନ ଥିଲା ପାଖରେ। ସେତେବେଳେ ବୃଦ୍ଧ ଶାଶୁ ଶ୍ୱଶୁର ଓ ପିଲା ହିଁ ଥିଲେ ବଡ଼ ପୁଞ୍ଜି। ସେହିମାନଙ୍କୁ ସମ୍ବଳ କରି ସେ ଗୋଡ଼ କାଢ଼ିଥିଲେ ଘରୁ। କୌଳିକ ବୃତ୍ତିକୁ ଆଦରି ଆରମ୍ଭ କରିଥିଲେ ଜୀବନ ଯୁଦ୍ଧ। ଦୁଇ ପିଲାଙ୍କୁ ଉଚ୍ଚଶିକ୍ଷିତ କରିବାକୁ କାନ୍ଧକୁ ନେଇଥିଲେ ବାପାର ବୋଝ, ଯାହା ୨୦ ବର୍ଷ ପରେ ପୂରଣ ପ୍ରାୟ। ଦୁଇ ପୁଅ କଲେଜରେ ପଢ଼ୁଥିବାରୁ ଆଉ ବେଶୀ ଦୂର ନୁହେଁ ବିଜୟୀ ଟିକା।
ସନ୍ତାନଙ୍କ ପାଇଁ ଏପରି ସଂଘର୍ଷ କରୁଥିବା ଏହି ମା’ ହେଲେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ ଗ୍ରାମର ରଜନୀ ଦେହୁରୀ (୪୦)। ନିଜେ ଅଧିକ ପାଠ ପଢ଼ି ନାହାନ୍ତି। କମ୍ ବୟସରେ ବିବାହ ମଧ୍ୟ କରିଥିଲେ। ତଥାପି ପରିବାର ଓ ପିଲାଙ୍କ ପ୍ରତି ଥିବା କର୍ତ୍ତବ୍ୟରେ ସେ ହେଳା କରିନାହାନ୍ତି। ସ୍ବାମୀ ଛାଡ଼ି ଯାଇଥିବା ଅଧା କାର୍ଯ୍ୟକୁ ସେ ପୂରଣ କରିବାକୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖଟି ଚାଲିଛନ୍ତି ବର୍ଷ ବର୍ଷ ଧରି। ରଜନୀ କୁହନ୍ତି, ସ୍ବାମୀ ମୂଲ ମଜୁରି କରି ପରିବାର ଚଳାଉଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାରର ବୋଝ କିପରି ଉଠାଇବେ ତାହା ବଡ଼ ପ୍ରଶ୍ନ ଥିଲା। ଘରେ ଯାହା କିଛି ସଞ୍ଚିତ ଅର୍ଥ ଥିଲା ତାହା ଶୁଦ୍ଧିକ୍ରିୟାରେ ଶେଷ ହୋଇଯାଇଥିଲା। ତେଣୁ ଆୟର ଶେଷ ପନ୍ଥା ଭାବେ ସେ କୌଳିକ ବୃତ୍ତିକୁ ଭରସି ମୁଢି ବିକି ପିଲାଙ୍କୁ ମଣିଷ କରିବାକୁ ନିଷ୍ପତ୍ତି ନେଇଥିଲେ। ସହାୟତା ପାଇଁ କେହି ନ ଥିଲେ ବି ମୁଢ଼ି, ଚୁଡ଼ା, ହୁଡ଼ୁମ, ଲିଆ, ବୁଟ, ମଟର ଆଦି ଭାଜି ବ୍ୟବସାୟ ଆରମ୍ଭ କଲେ। ପାହାନ୍ତାରୁ ଉଠି କିଛି ଜିନିଷ ପ୍ରସ୍ତୁତ କରିବା ପରେ ତାହାକୁ ବିକ୍ରି କରିବାକୁ ଦୂର ଦୂର ଗଁାକୁ ଗଲେ। ଦିନ ତମାମ ଖାଲି ପାଦରେ ଚାଲି ଚାଲି ସେ ସବୁ ସାମଗ୍ରୀ ବିକ୍ରି କରିବା ବେଳକୁ ସଞ୍ଜ ହୋଇଯାଏ। ରାତିରେ ବି ତାଙ୍କ ପାଇଁ କିଛି କମ୍ କାମ ନ ଥାଏ। ରୋଷେଇ କରିବା, ପିଲାଙ୍କ ପାଠପଢ଼ା କଥା ବୁଝିବା ଆଦି କାର୍ଯ୍ୟ ଭିତରେ ଏତେ ବର୍ଷ କେମିତି କଟିଯାଇଛି କେବଳ ସେ ହିଁ ଜାଣନ୍ତି। ବଡ଼ ପୁଅ ବିକାଶ ଆଇଟିଆଇ ପରେ ଏବେ ଯୁକ୍ତ ୩ର ଛାତ୍ର। ସାନ ପୁଅ ମଧ୍ୟ ପଢ଼ୁଛି। ବୟସ ବଢ଼ିଯାଇଥିବାରୁ ଆଉ ପୂର୍ବ ପରି ଅଧିକ ପରିଶ୍ରମ କରିହେଉନି। କିନ୍ତୁ ପିଲାଙ୍କୁ ଉଚ୍ଚଶିକ୍ଷିତ ନ କରିବା ଯାଏ ତାଙ୍କ ପାଦ ଥକିବନି ବୋଲି କହିଛନ୍ତି ରଜନୀ।