ଆଜିକାଲି ଅଧିକାଂଶ ପିଲା ମୋବାଇଲ୍, ଟାବଲେଟ୍, ଟିଭି, କମ୍ପ୍ୟୁଟର କିମ୍ବା ଲାପ୍ଟପ୍ରେ ଅଧିକ ସମୟ କଟାଉଛନ୍ତି। ଫଳରେ ପରିବାର ଭିତରେ ଥାଇ ସୁଦ୍ଧା ସେମାନେ ଏକାକୀ ନିଜ ଡିଜିଟାଲ୍ ଦୁନିଆରେ ସୀମିତ ରହୁଥିବା ଦେଖିବାକୁ ମିଳୁଛି; ଯାହାଦ୍ୱାରା ସେମାନଙ୍କ ଉପରେ ଅନେକ ନକାରାତ୍ମକ ପ୍ରଭାବ ମଧ୍ୟ ପଡ଼ୁଛି। ଏପରି ସ୍ଥଳେ ପିଲାଙ୍କୁ ଗପ ଶୁଣାଇବା ଅଭ୍ୟାସ କରାଇଲେ ସେମାନଙ୍କ ବୁଦ୍ଧିର ବିକାଶରେ ବେଶ୍ ସହାୟକ ହୋଇପାରିବ…
ଗପ ଶୁଣାଇବା ଦ୍ୱାରା ପିଲାମାନେ ଉଦାହରଣ ମାଧ୍ୟମରେ ଅନେକ କିଛି ଶିକ୍ଷା କରନ୍ତି। ଯାହାଦ୍ୱାରା ସେମାନଙ୍କ ଗୁଣ ଓ ବ୍ୟବହାରରେ ପରିବର୍ତ୍ତନ ଆସିଥାଏ।
ଏହା ଫଳରେ ପିଲାମାନଙ୍କର ଲାଙ୍ଗୁଏଜ୍, କମ୍ୟୁନିକେଶନ୍ ସ୍କିଲ୍, ଭୋକାବୁଲାରି ଅର୍ଥାତ ନୂଆ ନୂଆ ଶବ୍ଦ ଏବଂ ଭାଷା ଜ୍ଞାନର ବିକାଶ ହୋଇଥାଏ। ଯେଉଁ ଭାଷାରେ ପିଲାମାନେ ଗପ ଶୁଣିବେ ସେହି ଭାଷାକୁ ସେମାନେ ବେଶି ମନେ ରଖିପାରିବେ।
ଗପ ଶୁଣିବା ମାଧ୍ୟମରେ ପିଲାମାନଙ୍କର ଜାଣିବାର କ୍ଷମତା ବି ବଢ଼ିଥାଏ। ଯେ କୌଣସି ଶବ୍ଦକୁ ପଢ଼ି ମନେରଖିବା ପରିବର୍ତ୍ତେ ଗପ ଦ୍ୱାରା ସେମାନେ ଶୁଣି ଶୁଣି ଅଧିକ ମନେ ରଖିପାରନ୍ତି।
ପିଲାମାନଙ୍କର ବଡ଼ି ଲାଙ୍ଗୁଏଜ୍ ଜାଣିବା ପାଇଁ ବି ଏହା ସହାୟକ ହୋଇଥାଏ। ଏହା ମାଧ୍ୟମରେ ଖରାପ, ଭଲ ଏବଂ ପ୍ରତିକ୍ରିୟା ପ୍ରକାଶ କରିବା ଶୈଳୀକୁ ମଧ୍ୟ ସେମାନେ ଜାଣି ପାରନ୍ତି। କୌଣସି ଘଟଣାରେ ମୁହଁର ଭାବକୁ ଦେଖି ବୁଝିବା ଏତେ ସହଜ ନୁହେଁ। କିନ୍ତୁ ଗପ ବା କାହାଣୀ ଶୁଣିବା ଦ୍ୱାରା ସେମାନଙ୍କଠାରେ ଏହି ଦକ୍ଷତା ବିକଶିତ ହୋଇଥାଏ।
ସେମାନଙ୍କର କହିବା ଶକ୍ତି ବି ଏହା ମାଧ୍ୟମରେ ବୃଦ୍ଧି ହୋଇଥାଏ। ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାର କ୍ଷମତା ବି ପିଲାମାନଙ୍କର ପିଲାଦିନୁ ବଢ଼ିଯାଏ; ଯାହା ସେମାନଙ୍କୁ ଭବିଷ୍ୟତରେ ସାହାଯ୍ୟ କରିଥାଏ।
ପ୍ରତିଦିନ ସେମାନଙ୍କୁ ଭିନ୍ନ ଭିନ୍ନ ଗପ ଶୁଣେଇବା ଦ୍ୱାରା ସେମାନଙ୍କଠାରେ ସକାରାତ୍ମକ ଭାବନା ସୃଷ୍ଟି ହୁଏ। ଫଳରେ ସେମାନଙ୍କଠାରେ ଭଲ ଗୁଣ ଏବଂ ବୁଦ୍ଧିର ବିକାଶ ହେବାରେ ସାହାଯ୍ୟ କରେ।