ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ

ଭୁବନେଶ୍ୱର, ୪।୬(ବ୍ୟୁରୋ)- ସ୍କୁଲ ବନ୍ଦ ଥିବାରୁ ପିଲାଙ୍କୁ ପୂର୍ବରୁ ୩ ମାସ ପାଇଁ ମଧ୍ୟାହ୍ନ ଭୋଜନ ରାଶନ ମିଳିଥିଲା। ଏବେ ରୋଷେଇ ଖର୍ଚ୍ଚ ମିଳିବ। ଏନେଇ ମଧ୍ୟାହ୍ନ ଭୋଜନ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ବୁଧବାର ସମସ୍ତ ଜିଲାପାଳଙ୍କୁ ଚିଠି କରିଛନ୍ତି। ମାର୍ଚ୍ଚ ୧୬ରୁ ଜୁନ୍‌ ୧୩ ପର୍ଯ୍ୟନ୍ତ ରୋଷେଇ ଖର୍ଚ୍ଚ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏହି ୯୦ଦିନ ବାବଦରେ ପ୍ରାଥମିକ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଜଣ ପିଛା ୪୭୯ଟଙ୍କା ୯୬ ପଇସା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୭୧୭ଟଙ୍କା ୧୬ପଇସା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଷେଇ ଖର୍ଚ୍ଚ ପିଲା ବା ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ଯେଉଁ ଅଭିଭାବକଙ୍କର ବ୍ୟାଙ୍କ ଆକାଉଣ୍ଟ୍‌ ନ ଥିବ ସେମାନଙ୍କୁ ସ୍କୁଲରେ ଧାର୍ଯ୍ୟ ଅର୍ଥ ପଇଠ କରିବାକୁ କୁହାଯାଇଛି। ଜିଲା ଶିକ୍ଷାଧିକାରୀମାନେ ରୋଷେଇ ବାବଦ ଖର୍ଚ୍ଚକୁ ତୁରନ୍ତ ସ୍କୁଲ ଆକାଉଣ୍ଟକୁ ପଠାଇବାକୁ ଚିଠିରେ ଉଲ୍ଲେଖ ରହିଛି।

Share