ପିଲାଙ୍କୁ ସ୍ମାର୍ଟଫୋନ୍‌ଠାରୁ ଦୂରେଇବାକୁ ଏହି ସହର ଆପଣାଇଲା ନିଆରା ଉପାୟ

ସ୍ମାର୍ଟଫୋନ ଜୀବନକୁ ସହଜ ଏବଂ ସରଳ କରିଦେଇଛି। କିନ୍ତୁ ଏହି ଆଧୁନିକ ଟେକ୍ନୋଲୋଜି ପିଲାଙ୍କ ପାଇଁ ବହୁତ କ୍ଷତିକାରକ। ଏହାର ପ୍ରଭାବ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ଉପରେ ପଡେ ବୋଲି ବିଭିନ୍ନ ଗବେଷଣାରୁ ଜଣାପଡିଛି। ଆଜିକାଲି ଅଭିଭାବକମାନେ ପିଲାମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରୁନାହାନ୍ତି। କିନ୍ତୁ ଇଣ୍ଡୋନେସିଆର ବାନ୍ଦୁଙ୍ଗ ଅଞ୍ଚଳରେ ପିଲାମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖିବା ପାଇଁ ଅଭିଭାବକମାନେ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ଏଠାରେ ଯେଉଁପିଲା ସ୍ମାର୍ଟଫୋନ ଧରୁଛନ୍ତି ତାଙ୍କୁ ଛୋଟ ଛୋଟ କୁକୁଡା ପାଳନ ପାଇଁ ଦିଆଯାଉଛି। କୁକୁଡାର ଯତ୍ନ ନେବାରେ ତାଙ୍କ ସମୟ ବିତିଯାଉଛି। ଫଳରେ ସ୍ମାର୍ଟଫୋନ ଧରିବାକୁ ଆଉ ସମୟ ହେଉନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବାନ୍ଦୁଙ୍ଗ ସହରର ୧୦ଟି ପ୍ରାଥମିକ ଏବଂ ଦୁଇଟି ଜୁନିୟର ହାଇସ୍କୁଲରେ ୨୦୦୦ ପିଲାଙ୍କୁ କୁକଡା ଛୁଆ ଯୋଗାଇଦିଆଯାଇଛି। ପିଲାମାନେ ମଧ୍ୟ ଏନେଇ ବହୁତ ଖୁସି ଅଛନ୍ତି। ସହରର ମେୟର ଓଡେମ ଏମ. କହିଛନ୍ତି, ଇଣ୍ଡୋନେସିଆରେ ଇଣ୍ଟରନେଟ ବ୍ୟବହାର କରୁଥିବା ଲୋକ ପ୍ରତିଦିନ ଫୋନରେ ଆଠ ଘଣ୍ଟା ବ୍ୟସ୍ତ ରୁହନ୍ତି। ଏଭଳି ନିଆରା ଉପାୟ ଦ୍ୱାରା ପିଲାମାନଙ୍କୁ ସ୍ମାର୍ଟଫୋନଠାରୁ ଦୂରେଇ ରଖାଯାଇପାରିବ ବୋଲି ଆଶା କରାଯାଉଛି।

Share