ପିଲାଙ୍କ ପରୀକ୍ଷା, ବିଦ୍ୟୁତ୍‌ କାଟନି: ବିରୋଧୀ

ଭୁବନେଶ୍ୱର,୧୫-୧(ବ୍ୟୁରୋ):ବିଦ୍ୟୁତ୍‌ ବିଲ୍‌ ବକେୟା ରଖିଥିବା ଗ୍ରାହକଙ୍କ ଘର ଆସନ୍ତା ୧୬ତାରିଖରୁ ଅନ୍ଧାର ହେବ। ଏନେଇ ସେସୁ ପକ୍ଷରୁ କଡ଼ାକଡ଼ି ସୂଚନା ଦିଆଯାଇଛି। ବିରୋଧୀ ଦଳଗୁଡ଼ିକ ସେସୁର ଏଭଳି ନିଷ୍ପତ୍ତି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ଯଦି ସରକାର କୌଣସି ଗରିବ ଲୋକଙ୍କ ବିଦ୍ୟୁତ୍‌ କାଟ କରନ୍ତି, ତେବେ ଆନ୍ଦୋଳନ ହେବା ନିଶ୍ଚିତ ବୋଲି ବିରୋଧୀ ଜଣାଇ ଦେଇଛନ୍ତି। ପିଲାମାନଙ୍କ ପରୀକ୍ଷା ମୁଣ୍ଡ ଉପରେ ଥିବାବେଳେ ଏଭଳି ନିଷ୍ପତ୍ତି ଠିକ୍‌ ନୁହେଁ ବୋଲି ସେମାନେ କହିଛନ୍ତି। ଏହାସହ ଶିଳ୍ପପତିଙ୍କଠାରୁ ବକେୟା ଆଦାୟ ନ କରି ଗରିବଙ୍କ ବିଦ୍ୟୁତ୍‌ କାହିଁକି କଟାଯିବ ବୋଲି ବିରୋଧୀ ଯୁକ୍ତି ବାଢିଛନ୍ତି। ଅନ୍ୟପକ୍ଷରେ ସେସୁ ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ସୂଚନା ଦେଇ କହିଛନ୍ତି ଯେ, ୧୬ ତାରିଖରେ ହିଁ ବିଦ୍ୟୁତ୍‌ କାଟ କରାଯିବ। ପ୍ରଥମେ ବକେୟା ରଖିଥିବା କମର୍ସିିଆଲ ଉପଭୋକ୍ତାଙ୍କ ବିଦ୍ୟୁତ୍‌ କଟିବ ବୋଲି ସେ କହିଛନ୍ତି।
ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଝିଣ୍ଟିକା ମାରି ବଣି ପୋଷିବା ନୀତିରେ ରାଜ୍ୟ ସରକାର ଶାସନ ଚଳାଇଛନ୍ତି। ଗ୍ରୀଡ୍‌କୋର ୭,୬୫୭ କୋଟି ଟଙ୍କା ବିଭିନ୍ନ କମ୍ପାନୀ ଏବଂ ବ୍ୟବସାୟିକ ଅନୁଷ୍ଠାନ ପାଖରେ ବକେୟା ପଡିଥିବା ବିଧାନସଭାରେ ସରକାର ମାନିଛନ୍ତି। ଏହି ଅର୍ଥକୁ ସରକାର ଆଦାୟ ନ କରି ଗରିବଙ୍କ ପାଖରେ ବାକିଥିବା ଅର୍ଥକୁ ଅସୁଲି କରିବା ପାଇଁ ଲାଗି ପଡିଛନ୍ତି। ଗ୍ରୀଡ୍‌କୋର ବକେୟା ରାଶି କେଉଁ କମ୍ପାନୀ ପାଖରେ କେତେ ଅଛି, ସରକାର ତାହା ଶ୍ୱେତପତ୍ର ମାଧ୍ୟମରେ ଜଣାନ୍ତୁ। କିଛିଦିନ ମଧ୍ୟରେ ମାଟ୍ରିକ୍‌ ଏବଂ ଯୁକ୍ତ ୨ ପରୀକ୍ଷା ହେବାକୁ ଯାଉଛି। ବକେୟା ଆଦାୟ ନାଁରେ ବିଦ୍ୟୁତ କାଟି ଗଁା ଗହଳିର ଗରିବ ପିଲାଙ୍କ ଭବିଷ୍ୟତକୁ ସରକାର ଅନ୍ଧାର କରିଦେବାକୁ ବସିଛନ୍ତି। ଏଭଳି ଦାୟିତ୍ୱହୀନ ପଦକ୍ଷେପରୁ ସରକାର ନିବୃତ୍ତ ରୁହନ୍ତୁ ନଚେତ୍‌ ଉଚିତ ଜବାବ ମିଳିବ ବୋଲି ଲେଖାଶ୍ରୀ କହିଛନ୍ତି।
କଂଗ୍ରେସ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ କଟାଯାଇନାହିଁ, ବୋଲି ଆମେ ରାସ୍ତାକୁ ଓହ୍ଲାଇନାହୁଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶକ୍ତିମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ, ମୁଣ୍ଡ ଉପରେ ପିଲାମାନଙ୍କ ପରୀକ୍ଷା ଅଛି, ଯେମିତି ଗରିବ ଲୋକଙ୍କୁ ଅସୁବିଧା କରା ନ ଯାଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପ୍ରଥମେ କୋଟି କୋଟି ଟଙ୍କା ବକେୟା ରଖିଥିବା ଶିଳ୍ପପତିଙ୍କଠାରୁ ଅର୍ଥ ଆଦାୟ କରାଯାଉ। ଯଦି ଗୁରୁବାର କୌଣସି ଗରିବ ଲୋକଙ୍କ ଲାଇନ କଟାଯାଏ, ତେବେ ସବୁ ଇଲେକ୍ଟ୍ରି ଅଫିସ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ରାଉତରାୟ ଚେତାବନୀ ଦେଇଛନ୍ତି।

Share