ପିଲାଙ୍କ ପାଇଁ ନେଟ୍‌ଫ୍ଲିକ୍ସର ନୂଆ ସେଫ୍‌ଟି ଫିଚର୍‌

ଭୁବନେଶ୍ୱର, ୨୨।୪ (ବ୍ୟୁରୋ): ଦର୍ଶକଙ୍କ ପରାମର୍ଶ ତଥା ଅନୁରୋଧକୁ ରକ୍ଷାକରି ବିଶ୍ୱର ସର୍ବବୃହତ୍‌ ଭିଡ଼ିଓ ଷ୍ଟ୍ରିମିଂ ସର୍ଭିସ୍‌ ‘ନେଟ୍‌ଫ୍ଲିକ୍ସ’ ତା’ର ଫିଚର୍‌ ଓ ସେବାରେ ପରିବର୍ତ୍ତନ ଆଣିବ। ବିଶେଷକରି ବୟସ୍କ, ମାତାପିତା ଓ ଅଭିଭାବକଙ୍କ ସୁବିଧା ଲାଗି ଏହାର ପରିଚାଳନାକୁ ପୂର୍ବାପେକ୍ଷା ଅଧିକ ବ୍ୟବସ୍ଥିତ ଏବଂ ସୁରକ୍ଷିତ କରାଯିବ। ପିଲାମାନେ ଯେପରି ଏହାକୁ ସହଜରେ ଖୋଲି ନ ପାରିବେ ସେଥିଲାଗି ବ୍ୟକ୍ତିଗତ ପ୍ରୋଫାଇଲ୍‌କୁ ପିନ୍‌ ଦ୍ୱାରା ସୁରକ୍ଷିତ କରିବା ଲାଗି ସ୍ବତନ୍ତ୍ର ଫିଚର୍‌ ଯୋଡ଼ାଯିବ। ଏହାସହ ପିଲାଙ୍କ ବୟସ ଅନୁଯାୟୀ କଣ୍ଟେଣ୍ଟ୍‌ ତଥା ଶୋ’ ଏବଂ ଫିଲ୍ମ ଫିଲ୍‌ଟର୍‌ କରିବାର ସୁବିଧା ମଧ୍ୟ ରହିବ। ଏହି ସ୍ବତନ୍ତ୍ର ଫିଲ୍‌ଟର ଦ୍ୱାରା ବ୍ଲକ୍‌ କରିଥିବା ଫିଲ୍ମ କିମ୍ବା ସିରିଜ ଆଉ ପ୍ରୋଫାଇଲ୍‌ରେ ଦେଖାଇବ ନାହିଁ।
ନୂତନଭାବେ ଯୋଡ଼ାଯିବାକୁ ଥିବା ’ପ୍ରୋଫାଇଲ୍‌ ଆଣ୍ଡ୍‌ ପ୍ୟାରେଣ୍ଟାଲ କଣ୍ଟ୍ରୋଲ୍ସ’ ହବ୍‌ ଦ୍ୱାରା ପ୍ରତି ପ୍ରୋଫାଇଲ୍‌କୁ ବ୍ୟବସ୍ଥିତ କରିହେବ। ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରୋଫାଇଲ୍‌ କରି ସେମାନେ କ’ଣ ଦେଖୁଛନ୍ତି ତାହାଉପରେ ନଜର ରଖାଯାଇପାରିବ। ଯେକୌଣସି ଲାପଟପ୍‌ କିମ୍ବା ମୋବାଇଲ୍‌ ବ୍ରାଉଜର୍‌କୁ ଯାଇ ନେଟ୍‌ଫ୍ଲିକ୍ସର ଆକାଉଣ୍ଟ ସେଟିଙ୍ଗ୍‌ରେ ଏହିସବୁ ପରିବର୍ତ୍ତନ ଆଣିହେବ। ଅନ୍‌ଲାଇନ୍‌ ସେଫ୍ଟି ବା ସୁରକ୍ଷା ସମସ୍ତଙ୍କ ଚିନ୍ତାର କାରଣ ହୋଇଥିବାରୁ ପିଲାଙ୍କ ପାଇଁ ନେଟ୍‌ଫ୍ଲିକ୍ସକୁ ଅଧିକ ସୁରକ୍ଷିତ କରିବା ପାଇଁ ଏହି ଫିଚର୍‌ ଅଣାଯାଇଥିବା ନେଟ୍‌ଫ୍ଲିକ୍ସ ପକ୍ଷରୁ କୁହାଯାଇଛି। ଲକ୍‌ଡାଉନ୍‌ ଯୋଗୁ ସମଗ୍ର ବିଶ୍ୱରେ ଛୋଟପିଲାଙ୍କଠାରୁ ଆରମ୍ଭକରି ବୟସ୍କମାନେ ଏବେ ମନୋରଞ୍ଜନ ପାଇଁ ନେଟ୍‌ଫ୍ଲିକ୍ସ ବ୍ୟବହାର କରୁଛନ୍ତି। ଏଭଳିସ୍ଥଳେ ପିଲାମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ନେଟ୍‌ଫ୍ଲିକ୍ସ ପକ୍ଷରୁ ଏକାଧିକ କିଡ୍‌ସ୍‌ ଏବଂ ପାରିବାରିକ ଫିଲ୍ମ ଓ ଟେଲିଭିଜନ ଶୋ’ର ଷ୍ଟ୍ରିମିଂ କରାଯାଉଛି। ବହୁଚର୍ଚ୍ଚିତ ଆନିମେଟେଡ୍‌ ଫିଲ୍ମ ‘କ୍ଲସ୍‌’, ’କାର୍‌ମେନ୍‌ ସାଣ୍ଡିଏଗୋ: ଟୁ ଷ୍ଟିଲ୍‌ ଅର୍‌ ନଟ୍‌ ଟୁ ଷ୍ଟିଲ୍‌’ ଭଳି ଇଣ୍ଟର୍‌ଆକ୍ଟିଭି ଶୋ’ ଏବଂ ’ବସ୍‌ ବେବି’ ଭଳି ସିରିଜ୍‌ ପିଲାମାନେ ଦେଖିପାରିବେ। ସେହିଭଳି ’ମାଇଟି ଲିଟିଲ୍‌ ଭିମ୍‌’ ମଧ୍ୟ ନେଟ୍‌ଫ୍ଲିକ୍ସରେ ଦେଖିହେବ।

Share