ପିଲାଙ୍କ ସହ ଡଙ୍ଗାରେ ବୁଲିଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୧୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ମହାସମାରୋହରେ ପାଳିତ ହୋଇଛି। ଭୋର୍‌ ସମୟରେ ମହିଳାମାନେ ସ୍ନାନ କରି ବିଭିନ୍ନ ଜଳାଶୟରେ ବୋଇତ ଭସାଇଥିଲେ। କାଠପାଳ ଅଞ୍ଚଳର ସୋନ ନଦୀରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଆରା ଢ଼ଙ୍ଗରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି। ସେ କୁନି କୁନି ପିଲାଙ୍କ ସହ ନଦୀ ବାଲିରେ ଖେଳକୁଦ କରିବା ସହ ଡଙ୍ଗାରେ ବୁଲିବାର ମଜା ନେଇଥିଲେ। ଏହାସହ ନୀଳଗିରିର ବାଲିଗୋହିରି କଦମସାହି, ଘାଟଘରସାହି, ଶଙ୍କରାଖୁଣ୍ଟା, ସିମୁଳିଆ ଆଦି ସ୍ଥାନରେ ବଡ଼ ବଡ଼ ବୋଇତ ନିର୍ମାଣ କରାଯାଇ ଭସାଯାଇଛି। ବିଭିନ୍ନ ସ୍ଥାନରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।