Categories: ବାଣିଜ୍ୟ

ପିସିଏରୁ ବାହାରିବ ୟୁକୋ ବ୍ୟାଙ୍କ

ଭୁବନେଶ୍ୱର,୧୨।୭(ବ୍ୟୁରୋ) : ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ଗତବର୍ଷ ମାର୍ଚ୍ଚ ତ୍ରୈମାସଠାରୁ ଏହାର ପରିଚାଳନାଗତ ଲାଭରେ ଅଭିବୃଦ୍ଧି ହାସଲ କରୁଛି। ପରିଚଳନାରେ ଉନ୍ନତି ଆଣିବା ଲାଗି ଅନାଦାୟ ଋଣ (ଏନ୍‌ପିଏ) ଅସୁଲ ଉପରେ ବ୍ୟାଙ୍କ ବର୍ତ୍ତମାନ ଧ୍ୟାନ କେନ୍ଦ୍ରିତ କରୁଛି। ପ୍ରତି ତ୍ରୈମାସରେ ୨୦୦୦ କୋଟି ଟଙ୍କା ଅସୁଲ କରିବାକୁ ଏହା ଲକ୍ଷ୍ୟ ରଖିଛି। ଏହି ଉପାୟରେ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୮୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରହିଥିବା ବ୍ୟାଙ୍କର ଏମ୍‌ଡି ଏବଂ ସିଇଓ ଅତୁଲ କୁମାର ଗୋଏଲ ଗୁରୁବାର ଏଠାରେ ସୂଚନା ଦେଇଛନ୍ତି। ସେହିଭଳି ଏନ୍‌ସିଏଲ୍‌ଟିକୁ ଯାଇଥିବା ପ୍ରାୟ ୨-୩ ବଡ ଆକାଉଣ୍ଟରୁ ବ୍ୟାଙ୍କ ଜୁନ ତ୍ରୈମାସରେ ପ୍ରାୟ ୧୫୦୦ କୋଟି ଟଙ୍କା ବ୍ୟାଙ୍କ ପାଇପାରିବ। ୨୦୨୦ ମାର୍ଚ୍ଚ ବେଳକୁ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ପ୍ରମ୍ପ୍‌ଟ କରେକ୍ଟିଭ୍‌ ଆକ୍ସନ (ପିସିଏ) କାର୍ଯ୍ୟାନୁଷ୍ଠାନରୁ ବ୍ୟାଙ୍କ ବାହାରିବା ନେଇ ଆଶା ରହିଛି। ବ୍ୟାଙ୍କ ଶୀଘ୍ର ଲାଭଜନକ ସ୍ଥିତିକୁ ଫେରିବାନଇ ପଦକ୍ଷେପ ନିଆଯାଉଛି ବୋଲି ସ୍ଥାନୀୟ ଆଞ୍ଚଳିକ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଗୋଏଲ ଏହା କହିଛନ୍ତି।
ଓଡିଶାରେ କୃଷି, ଏମ୍‌ଏସ୍‌ଏମ୍‌ଇ, ହାଉସିଂ କ୍ଷେତ୍ରରେ ଋଣ ପ୍ରଦାନକୁ ବର୍ତ୍ତମାନ ପ୍ରାଥମିକତା ଦିଆଯାଉଛି। ଏଠାରେ ବ୍ୟାଙ୍କ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଭାବେ କାର୍ଯ୍ୟ କରୁଛି। ଭୁବନେଶ୍ୱର, ବାଲେଶ୍ୱର ଏବଂ ସମ୍ବଲପୁରଠାରେ ୩ କାର୍ଯ୍ୟାଳୟ ସହ ଏହା ପରିଚାଳନାକୁ ଦେଖୁଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ବ୍ୟାଙ୍କର ନେଟ୍‌ ଏନ୍‌ପିଏ ୬%କୁ ହ୍ରାସ ନେଇ ଲକ୍ଷ୍ୟ ରଖାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ମାର୍ଚ୍ଚ ତ୍ରୈମାସରେ ବ୍ୟାଙ୍କର ନେଟ୍‌ ଏନପିଏ ୯.୭୩ ରହିଥିବା ବେଳେ ଏହାକୁ ୬%କୁ ହ୍ରାସ କରାଇବା ଲାଗି ଅଂଶୀଦାରଙ୍କ ସହ ମିଳିତ ହୋଇ କାର୍ଯ୍ୟ କରୁଛି।
ରିଟେଲ ପୋର୍ଟଫୋଲିଓ ବୃଦ୍ଧି, ନୂଆ ନିବେଶ ଯୋଜନା, ପିଏସ୍‌ବି ୫୯ ଯୋଜନା କାର୍ଯ୍ୟକାରିତା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଉନ୍ନତ ପ୍ରଦର୍ଶନ କରୁ ନ ଥିବା ଶାଖାଗୁଡିକୁ କମାଇ ନିକଟବର୍ତ୍ତୀ ଶାଖାଗୁଡିକ ସହ ମିଶ୍ରଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୭-୧୦ ଶାଖା ମିଶ୍ରଣ ହୋଇଛି। ଆଉ ୩ରୁ ୪ ଶାଖାକୁ ମିଶ୍ରଣ କରିବାକୁ ଯୋଜନା ରଖାଯାଇଛି।

Share