Categories: ଖେଳ

ପିସିବି କ୍ରିକେଟ କମିଟି: ମହସିନଙ୍କ ସ୍ଥାନରେ ଆକ୍ରମ ହେବେ ଚେୟାରମ୍ୟାନ

କରାଚୀ, ୨୧ା୬ (ପି.ଟି.)-ପୂର୍ବତନ ଟେଷ୍ଟ କ୍ରିକେଟର ମହସିନ ଖାଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କ୍ରିକେଟ କମିଟି ଚେୟାରମ୍ୟାନ ପଦବୀରୁ ଓହରିଯାଇଛନ୍ତି। ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଓ୍ବାସିମ ଆକ୍ରମ କମିଟିର ନୂତନ ମୁଖ୍ୟ ହେବେ। କ୍ରିକେଟ କମିଟିରୁ ତାଙ୍କୁ ଅବ୍ୟାହତି ଦେବା ଲାଗି ମହସିନ ପିସିବି ଚେୟାରମ୍ୟାନ ଏହେସାନ ମନିଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, କ୍ରିକେଟ କମିଟି ପାକିସ୍ତାନ ଦଳ ଏବଂ ଏହା ସହଯୋଗୀ ଷ୍ଟାଫ୍‌ଙ୍କ ଗତ ୩ ବର୍ଷର ପ୍ରଦର୍ଶନକୁ ସମୀକ୍ଷା କରିବ ବୋଲି ବୁଧବାର ପିସିବି ଘୋଷଣା କରିଥିଲା। ଗୁରୁବାର ପିସିବି ବୋର୍ଡ ଅଫ୍‌ ଗଭର୍ନର୍ସ ବୈଠକ ବସିଥିଲା। ଏଥିରେ ସମ୍ବିଧାନ ସଂଶୋଧନ କରାଯାଇ ପରିଚାଳନା ନିର୍ଦ୍ଦେଶକଙ୍କ କ୍ଷମତା ପରିସରକୁ ବୃଦ୍ଧି କରାଯାଇଥିଲା। ଏହେସାନ ମନି କହିଛନ୍ତି ମହସିନଙ୍କ ଭଳି ଜଣେ ବ୍ୟକ୍ତିକୁ ଆମେ ଛାଡ଼ିବାକୁ ଚାହୁଁନା, କିନ୍ତୁ ତାଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଦେବାକୁ ଚାହୁଁ। ଅନ୍ୟପକ୍ଷରେ ମହସିନ କହିଛନ୍ତି, ପାକିସ୍ତାନ କ୍ରିକେଟ ପାଇଁ କାର୍ଯ୍ୟକରିବା ଲାଗି ମୁଁ ସବୁବେଳେ ଉପଲବ୍ଧ। ମୋ ଅତୀତ ରେକର୍ଡ ଭିତ୍ତିରେ ଉପଯୁକ୍ତ ପଦବୀ ମିଳିଲେ ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ। ମହସିନ କ୍ରିକେଟ କମିଟିରୁ ଓହରିଯିବା ଅର୍ଥ ବିଶ୍ୱକପ୍‌ ପରେ ତାଙ୍କୁ ଏକ ଗୁରୁଦାୟିତ୍ୱ ପ୍ରଦାନ କରିବା ଲାଗି ବୋର୍ଡ ଯୋଜନା କରୁଥିବା ସ୍ପଷ୍ଟ ସୂଚନା ମିଳୁଛି। ସୂଚନାଯୋଗ୍ୟ, ମହସିନ, ଓ୍ବାସିମ ଓ ମିସ୍‌ବା ଟେଲିଭିଜନ ଏବଂ ୟୁଟୁବ୍‌ର ବିଭିନ୍ନ କାର୍ଯ୍ୟକ୍ରମରେ କ୍ରିକେଟ ବିଶେଷଜ୍ଞ ଭାବେ ଅଂଶଗ୍ରହଣ ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ପ୍ରଦର୍ଶନକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଓ୍ବାସିମ ନିକଟ ଅତୀତରେ ସ୍ପଷ୍ଟ କରିଥିଲେ ପାକିସ୍ତାନ କ୍ରିକେଟ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ଦରକାର। କ୍ରିକେଟ କମିଟି ଠିକଣାରୂପେ କାର୍ଯ୍ୟ କରୁ ନାହିଁ। ଅନ୍ୟପକ୍ଷରେ ବିଶ୍ୱକପ୍‌ ପରେ ଏହାର ସୁପାରିସ ଚେୟାରମ୍ୟାନ ଏବଂ ବୋର୍ଡ ଅଫ୍‌ ଗଭର୍ନସର୍ର୍ଙ୍କ ନିକଟକୁ ପଠାଇବ ଲାଗି କ୍ରିକେଟ କମିଟିକୁ ପିସିବି ନିର୍ଦ୍ଦେଶ ଦେଇଛି। ଖବର ଅନୁସାରେ ଆଇସିସି ବିଶ୍ୱକପ୍‌ ପରେ ଅଧିନାୟକ, ଟିମ୍‌ ମ୍ୟାନେଜମେଣ୍ଟ ଏବଂ ସିଲେକ୍ସନ କମିଟିରେ ପରିବର୍ତ୍ତନ ସହ ଖେଳାଳିମାନଙ୍କ ଲାଗି ନୂଆ ନିୟମ ଲାଗୁ କରାଯିବା ଲାଗି ଯୋଜନା ଚାଲିଛି।

Share