ପିସିସି ବଦଳାଅ, କଂଗ୍ରେସ ବଞ୍ଚାଅ:କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିବାକୁ ଦିଲ୍ଲୀ ଯାତ୍ରା

କଟକ ଅଫିସ,୧୩ା୧୨:ପିସିସି ବଦଳାଅ, ଓଡ଼ିଶାରେ କଂଗ୍ରେସକୁ ବଞ୍ଚାଅ। ପିସିସି ସଭାପତିଙ୍କୁ ବଦଳାଇବା ଦାବି କଂଗ୍ରେସରେ ଜୋର ଧରିବାରେ ଲାଗଛି। ଏହି ଦାବି ନେଇ ଦଳର କର୍ମକର୍ତ୍ତାମାନେ ଗୁରୁବାର ଦିଲ୍ଲୀ ଯାତ୍ରା କରିଛନ୍ତି। ସେଠାରେ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବଞ୍ଚାଅ ସମାବେଶରେ ସେମାନେ ଯୋଗଦେବେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ନେତୃତ୍ୱଙ୍କ ନିକଟରେ ରାଜ୍ୟ ସଙ୍ଗଠନ ସମ୍ପର୍କରେ ଅବଗତ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ଜଣାପଡ଼ିଛି। ଏହି ଟିମ୍‌ରେ ବୀରେନ୍ଦ୍ର ବାଗ, ମାନସ କର, ଆର୍ଯ୍ୟବୀର ଲେଙ୍କା, ମାନସ ମଲ୍ଲିକ, ବିକି ସାହୁ, ବିକି ଚକ୍ରବର୍ତ୍ତୀ, ଜ୍ଞାନ ରାଉତଙ୍କ ସମେତ ଅନ୍ୟମାନେ ଅଛନ୍ତି। ଏମାନଙ୍କ କହିବା ଅନୁଯାୟୀ, ଗତ ସାଧାରଣ ନିର୍ବାଚନରେ ଓଡ଼ିଶା କଂଗ୍ରେସର ଯେଉଁଭଳି ବିପର୍ଯ୍ୟୟ ଘଟିଲା, ତାହା ୧୯୫୨ ମସିହାଠାରୁ ଏପର୍ଯ୍ୟନ୍ତ କେବେ ଘଟି ନ ଥିଲା। ସମ୍ପ୍ରତି ରାଜ୍ୟର ପ୍ରମୁଖ ଯୁବ ସଙ୍ଗଠନ, ମହିଳା ସଙ୍ଗଠନ, ଛାତ୍ର ସଙ୍ଗଠନ ଏବଂ ଅଧିକାଂଶ ପୁରୁଖା ନେତୃତ୍ୱମାନେ ଖୋଲାଖୋଲି ଯୁବ ନେତୃତ୍ୱ ପ୍ରତି ଆକୃଷ୍ଟ ହେଉଥିବା ସାଧାରଣରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଏପରି କି ଖୋଲାଖୋଲି ସର୍ବଭାରତୀୟ କଂଗ୍ରେସ ନେତୃତ୍ୱଙ୍କ ନିକଟରେ ଯୁବ ଓ ସ୍ବଚ୍ଛ ଭାବମୂର୍ତ୍ତିର ନେତାଙ୍କୁ ଦାୟିତ୍ୱ ଦେବାକୁ ସେମାନେ ଦାବି କରିବେ।

Share