ଭୁବନେଶ୍ୱର,୧୩।୯(ବ୍ୟୁରୋ): ଗୁରୁବାର ଏଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଥିଲେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ। ଶୁକ୍ରବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ। ସେ କହିଛନ୍ତି, ଇତୀଶ ଅସନ୍ତୋଷ ହୋଇ ଏଭଳି କହିଛନ୍ତି। କେବଳ ଆମ ରାଜ୍ୟରେ ନୁହେଁ, ଅନ୍ୟ ସବୁଠି ବି ଭଲ ଫଳାଫଳ ହୋଇନାହିଁ। ଏଥିପାଇଁ କ’ଣ ଆମେ ଦୁଇ ଭାଇ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି। ଇତୀଶଙ୍କ କଥା ପିଲାଳିଆ। ସେ ତ ନିଜେ ଗୋଟିଏ ଜାଗାରୁ ଲଢ଼ିଥିଲେ। ଯେପରି ଭାବେ ତାଙ୍କୁ ଭୋଟ ମିଳିଛି, ସେ କାହା ଉପରେ ଦୋଷ ଲଦିବେ ବୋଲି ନିରଞ୍ଜନ କହିଛନ୍ତି।
ପ୍ରକାଶଯୋଗ୍ୟ, ଇତୀଶ ଏକ ଖବରଦାତା ସମ୍ମିଳନୀ କରି କହିଥିଲେ ଯେ, ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ। ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ରାଜ୍ୟରେ ପୁରାଇ ଦିଆଯିବ ନାହିଁ। ନିଜ ଭାଇଙ୍କୁ ମଧ୍ୟସ୍ଥ କରି ଦଳକୁ ସମ୍ପୂର୍ଣ୍ଣ ବିକ୍ରି କରିଦେଇଛନ୍ତି। ଦଳକୁ ନେଇ ବେପାର ଚଳାଇଛନ୍ତି, ହେଲେ ଏହାକୁ ସହ୍ୟ କରାଯିବନାହିଁ। ବିଜେଡିକୁ ଜିତାଇବା ସକାଶେ ଭିତିରି ବୁଝାମଣାା କରି କଂଗ୍ରେସକୁ ରାସ୍ତାରେ ବସାଇଛନ୍ତି। ପିସିସି ସଭାପତିଙ୍କ ଏଭଳି କାର୍ଯ୍ୟ ସହ୍ୟ କରାଯିବ ନାହିଁ ବୋଲି ଇତିଶ କହିଛନ୍ତି।