ପିସିସି ସଭାପତି ରହିବେ ନିରଞ୍ଜନ: ରୁଦ୍ର ରାଜୁ

ପୁରୀ ଅଫିସ, ୬ା୧୨: ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦବୀକୁ ନେଇ କଂଗ୍ରେସ ଦଳରେ ଯେଉଁ କନ୍ଦଳ ଚାଲିଛି ସେଥିରେ ନୂଆ ଟୁଇଷ୍ଟ ଆଣିଛନ୍ତି ଏଆଇସିସି ସମ୍ପାଦକ ରୁଦ୍ର ରାଜୁ। ଶୁକ୍ରବାର ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଦଳର ସାଙ୍ଗଠନିକ ସଭାରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ରାଜୁ କହିଛନ୍ତି, ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ପିସିସି ସଭାପତି। ସେ ହିଁ ରହିବେ। ପିସିସି ସଭାପତି ପଦକୁ ନେଇ କୌଣସି କର୍ମୀ କିମ୍ବା ନେତୃବୃନ୍ଦ ବିଭ୍ରାନ୍ତ ହେବାର ଆବଶ୍ୟକତା ନାହିଁ। ଗୋଟିଏ ଗୋଷ୍ଠୀ ପିସିସି ସଭାପତିଙ୍କୁ ବଦଳାଇବା ଲାଗି ବାରମ୍ବାର ଦିଲ୍ଲୀ ଯାଉଥିବା ପ୍ରଶ୍ନରେ ରାଜୁ କହିଛନ୍ତି, ସେମାନଙ୍କ ଉପରେ ମଧ୍ୟ ଫୋକସ ରଖାଯାଇଛି। ଦଳୀୟ ନିଷ୍ପତ୍ତିକୁ ଯେଉଁମାନେ ଅବମାନନା କରିବେ ହାଇକମାଣ୍ଡ ନିଶ୍ଚିତ ରୂପେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜାତୀୟ ନେତୃତ୍ୱ ହେଉଛନ୍ତି ସୋନିଆ ଗାନ୍ଧୀ ଏବଂ ରାଜ୍ୟରେ ନିରଞ୍ଜନ ପଟ୍ଟନାୟକ। ଏଥିରେ କେହି ଦ୍ୱିମତ ହେବାର ନାହିଁ। ଏଠାରେ ଆମେ ନିରଞ୍ଜନଙ୍କ ନେତୃତ୍ୱରେ ହିଁ ସମସ୍ତେ କାମ କରିବା ବୋଲି ରାଜୁ ସ୍ପଷ୍ଟ କରିଛନ୍ତି।
ରାଜ୍ୟରେ ଦଳର ସ୍ଥିତି ଦୁର୍ବଳ ହେଉଥିବା ପ୍ରଶ୍ନରେ ସେ କହିଥିଲେ, ଗତ ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଥିଲୁ। କିନ୍ତୁ ତାହା ହେଲା ନାହିଁ। ତେଣୁ ସଙ୍ଗଠନକୁ କିପରି ମଜବୁତ୍‌ କରାଯିବ ସେଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତି ବିଧାନସଭା କ୍ଷେତ୍ରକୁ ଯାଇ ନୂଆ ପିଢୀକୁ ଆଗକୁ ବଢାଇବା ଲାଗି ବାଟ ପ୍ରସ୍ତୁତ ହେବ। କଂଗ୍ରେସ ବିଚାରାଧାରାର ଲୋକଙ୍କୁ ନେଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ରାଜୁ କହିଛନ୍ତି। ସେହିପରି ଦେଶରେ ବିଭିନ୍ନ ସ୍ଥାନରେ ମହିଳା ଏବଂ ଯୁବତୀଙ୍କ ପ୍ରତି ଯେଉଁ ଅମାନବୀୟ କାଣ୍ଡ ଘଟୁଛି ତାହାକୁ ସେ ତୀବ୍ର ନିନ୍ଦା କରିଥିଲେ। ହାଇଦ୍ରାବାଦରେ ଜଣେ ଡାକ୍ତରାଣୀଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ଉପରେ ମତ ରଖି ରାଜୁ କହିଥିଲେ, ଏଭଳି ଘଟଣା ଉପରେ ରୋକ୍‌ ଲଗାଯିବବା ଦରକାର। କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଏହି ଘଟଣା ଦେଖିବାକୁ ମିଳୁଛି। ଓଡ଼ିଶାରେ ବି ମହିଳାଙ୍କ ଉପରେ ଅତ୍ୟାଚାର ଅଧିକ ମାତ୍ରାରେ ହେଉଛି। ଏଥିରେ ଅଙ୍କୁଶ ଆଣିବାକୁ କଂଗ୍ରେସ ଦଳ କାମ କରିବ ବୋଲି ରାଜୁ କହିଥିଲେ।