ପିସ୍ତଲ ଦେଖାଇ ଫାଇନାନ୍ସ କମ୍ପାନୀ ମହିଳା କର୍ମଚାରୀଙ୍କଠାରୁ ୯୨ ହଜାର ଲୁଟ୍‌

ପାଟଣା,୨୩।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ଶୁକ୍ରବାର ଅପରାହ୍ନରେ ଭାରତ ଫାଇନାନ୍ସ କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କଠାରୁ ୨ଜଣ ଦୁର୍ବୃତ୍ତ ୯୨ ହଜାର ଟଙ୍କା ଲୁଟି ନେଇଛନ୍ତି। ସେମାନେ ପିସ୍ତଲ ଦେଖାଇ ଏହି ଟଙ୍କା ଲୁଟ୍‌ କରିଥିବା ନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି। ଥାନା ଅଧିକାରୀ ଅମିତାଭ ଦାଶ ଏକ ମାମଲା(ନଂ. ୮୪/୧୯) ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଦୁର୍ବୃତ୍ତମାନେ ଟଙ୍କା ଲୁଟି କେନ୍ଦୁଝର ଆଡ଼କୁ ଚାଲି ଯାଇଥିବା କୁହାଯାଉଛି। ତୁରୁମୁଙ୍ଗା ପୋଲିସ ସମସ୍ତ ଥାନାକୁ ଖବର କରି ବିଭିନ୍ନ ରାସ୍ତା ଅବରୋଧ କରି ତଦନ୍ତ କରୁଥିଲେ ମଧ୍ୟ ଲୁଟେରାଙ୍କର କୌଣସି ଟେର ପାଇ ନାହିଁ।
ଅଭିଯୋଗ ଅନୁଯାୟୀ କେନ୍ଦୁଝର ସ୍ଥିତ ଭାରତ ଫାଇନାନ୍ସ କମ୍ପାନୀର କର୍ମଚାରୀ ପୁଷ୍ପଳତା ନାଏକ ହୀରାପଶି ଗାଁରୁ ଗ୍ରାହକଙ୍କ ଠାରୁ ୯୨ ହଜାର ଟଙ୍କା ଆଦାୟ କରି ନିଜ ସ୍କୁଟିରେ କେନ୍ଦୁଝର ଅଭିମୁଖେ ଯାଉଥିଲେ। ଖିରେଇ ଟାଙ୍ଗିରି ପାର୍ଶ୍ୱରୁ ଏକ ବାଇକ୍‌ରେ ଦୁଇ ଜଣ ହେଲମେଟ ପିନ୍ଧିଥିବା ଦୁର୍ବୃତ୍ତ ଆସି ଡ଼ାବରଚୁଆ ନିକଟରେ ପୁଷ୍ପାଲତାଙ୍କୁ ଅଟକାଇ ପିସ୍ତଲ ଦେଖାଇବା ସହ ତାଙ୍କୁୁ ମାଡ଼ ମାରି ଟଙ୍କା ଲୁଟି ନେଇଥିଲେ। ଏହ ଅଞ୍ଚଳରେ ଲୁଟେରାଙ୍କ ଉପଦ୍ରବ ବୃଦ୍ଧି ପୋଲିସର ନିଦ ହଜାଇଛି।