ପିିପିଇ ଅଭାବରୁ ଅସୁବିଧା ଭୋଗୁଛନ୍ତି ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ,୨୩।୫: କୋଭିଡ-୧୯ ମହାମାରୀ ଯୁଦ୍ଧରେ ସ୍ବାସ୍ଥ୍ୟକର୍ମୀମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାମ କରୁଛନ୍ତି। ସରକାରୀ ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟତୀତ ବେସରକାରୀସ୍ତରରେ ହଜାର ହଜାର ସ୍ବାସ୍ଥ୍ୟକର୍ମୀ କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଛନ୍ତି। ନିଜ ଜୀବନକୁ ବାଜି ଲଗାଇ ସେମାନେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଛନ୍ତି। ହେଲେ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ମିଳିପାରୁ ନାହିଁ। କମ୍‌ ଦରମା ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଠିକ୍‌ ଭାବେ ମିଳୁ ନ ଥିବାରୁ ଠିକାରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଣସଂଗଠିତ କ୍ଷେତ୍ରରେ ବୃହତ ପରିମାଣରେ କାର୍ଯ୍ୟକରୁଥିବା ଏହି ସ୍ବାସ୍ଥ୍ୟକର୍ମୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏଭଳି ପରିସ୍ଥିତିରେ ନିଜ ପାଇଁ ମୁହଁ ଖୋଲି ପାରୁନାହାନ୍ତି।
ସ୍ବାସ୍ଥ୍ୟକର୍ମୀମାନେ ଉପଯୁକ୍ତ ସରଞ୍ଜାମ ବିନା ନିଜ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି। ସେମାନଙ୍କୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି। କରୋନା ସଂକ୍ରମଣକାରୀଙ୍କ ଚିକିତ୍ସା ନିମନ୍ତେ ହସ୍ପିଟାଲଗୁଡ଼ିକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକ ରହିଛି। ଆଇସୋଲେଶନ ଓ୍ବାର୍ଡ ଏବଂ ଇଣ୍ଟେନ୍‌ସିଭ କେୟାର ୟୁନିଟ ସୁବିଧା, ଭେଣ୍ଟିଲେଟର ଏବଂ ଚିକିତ୍ସା ପାଇଁ ଆବଶ୍ୟକ ସରଞ୍ଜାମ ଏପରିକି ସଂକ୍ରମଣ ନିୟନ୍ତ୍ରଣ ଓ ସ୍ବାସ୍ଥ୍ୟକର୍ମୀଙ୍କ ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଆଦି ଯୋଗାଇ ଦିଆଯିବା ଆବଶ୍ୟକ ରହିଛି। ହେଲେ ଅନେକ ହସ୍ପିଟାଲଗୁଡ଼ିକରେ ସର୍ବନିମ୍ନ ପିପିଇ ବ୍ୟବସ୍ଥାରେ ସାନିଟାଇଜର, ମାସ୍କ, ଗ୍ଲୋବ୍‌ସ ଏବଂ ଗାଉନ୍ସର ଅଭାବ ଦେଖିବାକୁ ମିଳୁଛି। ଏହି ପ୍ରତିଷେଧମୂଳକ ବ୍ୟବସ୍ଥାର ଅଭାବ ଯୋଗୁ ଡାକ୍ତର, ନର୍ସ, ଟେକ୍ନିସିଆନ ଏବଂ ସ୍ବାସ୍ଥ୍ୟକର୍ମୀମାନେ ବିଶେଷମାତ୍ରାରେ ପ୍ରଭାବିତ ହେଉଛନ୍ତି। ଆବଶ୍ୟକ ପିପିଇ ଅଭାବରୁ ଦିଲ୍ଲୀ ଓ ବମ୍ବେର ଅନେକ ବଡ଼ ବଡ଼ ହସ୍ପିଟାଲରେ ମଧ୍ୟ ଡାକ୍ତର ଓ ନର୍ସମାନେ କରୋନା ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ଏପ୍ରିଲ ପ୍ରଥମ ଭାଗରେ ଦେଶରେ ପିପିଇ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନ ଥିବାରୁ ଚାଇନା ଉପରେ ନିର୍ଭର କରାଯାଉଥିଲା ହେଲେ ଚାଇନାରୁ ଯୋଗାଣ ହେଉଥିବା ପିପିଇ ନିମ୍ନମାନର ହୋଇଥିବା ଜଣାପଡ଼ିବା ପରେ ଏହାକୁ ଫେରାଇ ଦିଆଯିବା ସହ ସେଠାରୁ ପିପିଇ ଆମଦାନୀକୁ ବନ୍ଦ କରିଦିଆଯାଇଛି।

Share