ପୀଡ଼ିତାଙ୍କ ବୟାନ ରେକର୍ଡ: ବଳାତ୍କାର ପରେ ବିବାହ କରି ପ୍ରତାରଣା; ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର,୧୧ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଓ ଗର୍ଭନଷ୍ଟ କରିବା ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ବାରିପଦାସ୍ଥିତ ଜିଲା ପୋକ୍‌ସୋ ଅଦାଲତକୁ ପଠାଇଛି। ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରମୋହନ ଟୁଡ଼ୁ। ନାବାଳିକାଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୋଲିସ ପୀଡ଼ିତା ନାବାଳିକାଙ୍କୁ ରାଇରଙ୍ଗପୁରସ୍ଥିତ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରି ମଙ୍ଗଳବାର ତାଙ୍କ ବୟାନ ରେକର୍ଡ କରିଛି। ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତା ନାବାଳିକାଙ୍କୁ ଗତ ୨ ବର୍ଷ ତଳେ ସୁନ୍ଦରମୋହନ ଅପହରଣ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ନେଇ ବଳାତ୍କାର କରିବା ପରେ ସାନ୍ତାଳି ସମ୍ପ୍ରଦାୟ ପ୍ରଥା ଅନୁଯାୟୀ ବିବାହ କରିଥିଲେ। ଗତ ଫେବୃୟାରୀ ମାସରେ ରାଇରଙ୍ଗପୁର ବସ୍‌ଷ୍ଟାଣ୍ଡରେ ଏକୁଟିଆ ଛାଡ଼ି ଫେରାର ହୋଇଯାଇଥିବା ତଦନ୍ତକାରୀ ଅଧିକାରୀ ସବ୍‌ଇନ୍ସପେକ୍ଟର ପଦ୍ମଲୋଚନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।