ପୁଅକୁ କଥକ ଶିଖାଉଛନ୍ତି ମାଧୁରୀ

ମୁମ୍ବାଇ: କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ ଏବେ ସମସ୍ତେ ପ୍ରାୟ ଘରେ ସମୟ କାଟୁଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏବେ ଘରେ ରହି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ ବଲିଉଡ୍‌ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଏମିତି ଏକ ଭିଡିଓ ଶେୟାର କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କ ମନକୁ ପାଇଛି। ଏଥିରେ ମାଧୁରୀ ତାଙ୍କ ପୁଅକୁ କଥକ ନୃତ୍ୟ ଶିଖାଉଥିବା ଦେଖାଯାଇଛି। ବଲିଉଡ୍‌ର ଜଣେ ଭଲ ଡ୍ୟାନ୍ସର ଭାବେ ଦର୍ଶକଙ୍କ ବେଶ୍‌ ପସନ୍ଦ ମାଧୁରୀ। ଏବେ ସେ ଜଣେ ଭଲ ଶିକ୍ଷୟିତ୍ରୀ ଭାବେ ନିଜ ପୁଅକୁ ନୃତ୍ୟ ଶିଖାଉଥିବା ଦେଖାଯାଇଛି।

ନିଜେ ପାଦରେ ଘୁଙ୍ଗୁର ବାନ୍ଧିବା ସହ ଯେଉଁ ଷ୍ଟେପ ଦେଖାଉଛନ୍ତି ପୁଅ ମଧ୍ୟ ଜଣେ ଭଲ ଛାତ୍ର ଭାବେ ଏହାକୁ ରିପିଟ୍‌ କରୁଥିବା ଦେଖାଯାଇଛି। ନୃତ୍ୟ ମାଧୁରୀଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଉଥିବା ବେଳେ ସେ ତାଙ୍କ ପରିବାରକୁ ମଧ୍ୟ ସେତିକି ଭଲ ପାଆନ୍ତି ବୋଲି କୁହାଯାଏ। ଏବେ ଅବସର ସମୟ ମିଳିଥିବାରୁ ସେ ପିଲାମାନଙ୍କ ସହ ସମୟ କାଟୁଥିବା ନଜର ଆସିଛି। ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଆସୁଥିବା ଦେଖିବାକୁ ମିଳିଛି।

Share