ପୁଅକୁ ତାଲା ପକାଇ ରଖୁଥିଲେ ମା’

କଟକ ଅଫିସ,୧୮ା୧୧: ୯ ବର୍ଷର ନାବାଳକଙ୍କୁ ଘର ଭିତରେ ରଖି ବାହାର ପଟୁ ତାଲା ଦେଇ କର୍ମକ୍ଷେତ୍ରକୁ ଯାଉଥିଲେ ମା’। ସିଡିଏ ବିରେନ ମିତ୍ର ପାର୍କ ନିକଟରେ ରବିବାର ଏଭଳି ଘଟଣା ଦେଖିବାକୁ ମିଳିଛି। ଦୈନିକ ମା’ ଜଣଙ୍କ ନାବାଳକଙ୍କୁ ତାଲା ଦେଇ ବାହାରକୁ ପଳାଇବା ଘଟଣାକୁ ଦେଖି ଲୋକଙ୍କ ମନରେ ସନ୍ଦେହଜାତ ହୋଇଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଚାଇଲ୍ଡ ଲାଇନକୁ ଫୋନ କରିଥିଲେ। ଚାଇଲ୍ଡ ଲାଇନ ସଂଯୋଜକ ନାରାୟଣ ଶୁକ୍ଳ ଓ ଜିଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଚିତ୍ତରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ନାବାଳକଙ୍କ ମା’ ଆସି ସେଠାରେ ପହଞ୍ଚିବା ପରେ ଘରର ତାଲା ଖୋଲାଯାଇଥିଲା। ଘର ଭିତରେ ନାବାଳକ ଥିବା ଉଭୟ ଶୁକ୍ଳ ଓ ମହାନ୍ତି ଦେଖିବାକୁ ପାଇଥିଲେ। ପୁନର୍ବାର ଏଭଳି ନ କରିବା ପାଇଁ ମା’ ଜଣଙ୍କ ଅଣ୍ଡରଟେକିଂ ଲେଖି ଦେଇଥିଲେ। ଫଳରେ ଶୁକ୍ଳ ଓ ମହାନ୍ତି ସେଠାରୁ ଫେରିଥିଲେ। ଶୁକ୍ଳଙ୍କ କହିବା ଅନୁଯାୟୀ, ପାରିବାରିକ ବିଶୃଙ୍ଖଳା ଯୋଗୁ ମହିଳା ଜଣଙ୍କ ଏଠାରେ ଘରଭଡ଼ା ନେଇ ରହିବା ସହ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ତେଣୁ ପ୍ରତିଦିନ କମ୍ପାନୀକୁ ଯିବା ସମୟରେ ସେ ପୁଅକୁ ଘର ଭିତରେ ରଖି ବାହାରପଟୁ ତାଲାଦେଇଥାନ୍ତି। ପାଖାପାଖି ୮ରୁ ୯ ଘଣ୍ଟା ଧରି ନାବାଳକ ଜଣଙ୍କ ଘର ଭିତରେ ଏକୁଟିଆ ରହିଥାନ୍ତି।