ପୁଅର ପାପ ଧୋଉଛନ୍ତି ୯୭ ବର୍ଷୀୟା ମା’

ପ୍ରୟାଗରାଜ: ଗଙ୍ଗାଜଳ ବାଣ୍ଟିଲେ ପାପ ଦୂର ହେବ। ଏଇ ବିଶ୍ୱାସରେ୧୫ ବର୍ଷ ହେଲାଣି ବିଭିନ୍ନ ସ୍ଥାନ ବୁଲି ବୁଲି ଗଙ୍ଗାଜଳ ବାଣ୍ଟୁଛନ୍ତି ପାର୍ବତୀ । ଅବଶ୍ୟ ପାର୍ବତୀ ନିଜ ପାପ ଦୂର କରିବା ପାଇଁ ଏଇ କାମ କରୁନାହାନ୍ତି ବରଂ ତାଙ୍କ ପୁଅର ପାପ ଧୋଇବା ପାଇଁ ସେ ସମସ୍ତଙ୍କୁ ଗଙ୍ଗାଜଳ ଦେଉଛନ୍ତି । ବିହାରର ଭୋଜପୁର ଅଞ୍ଚଳରେ ରହନ୍ତି ପାର୍ବତୀ ପାଣ୍ଡେ। ୯୭ ବର୍ଷର ଏଇ ମହିଳା ଜଣକ ପୋଲିସ୍‌ ଷ୍ଟେଶନ୍‌, ହାଇକୋର୍ଟ ତଥା ବିଭିନ୍ନ ଅନୁଷ୍ଠାନ ବୁଲି ବୁଲି ଗଙ୍ଗାଜଳ ଆଉ ପ୍ରସାଦ ବାଣ୍ଟିଥାନ୍ତି । ୧୫ ବର୍ଷ ହେଲାଣି ସେ ଏଇ କାମ କରୁଛନ୍ତି ଆରପାରିରେ ଥିବା ତାଙ୍କ ପୁଅ ପାଇଁ । ପ୍ରକୃତ କଥା ହେଉଛି, ତାଙ୍କ ପୁଅ ବହୁ ଅପରାଧ କାର୍ଯ୍ୟକଳାପ ସହିତ ଜଡ଼ିତ ଥିଲା । ସେଥିପାଇଁ ତାକୁ ପୋଲିସ୍‌ ଏନ୍‌କାଉଣ୍ଟର କରି ମାରି ଦେଇଥିଲା। କିନ୍ତୁ ପୁଅ ତାଙ୍କଠାରୁ ଅଲଗା ରହୁଥିବାରୁ ସେ ଏହା ଜାଣି ପାରି ନ ଥିଲେ। ପୋଲିସ୍‌ ତାଙ୍କୁ ଏଇ ଖବର ଦେବା ପରେ ପାର୍ବତୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ଭାଙ୍ଗି ପଡ଼ିଥିଲେ। ଏହା ପରଠାରୁ ସେ ତାଙ୍କ ପୁଅ କରିଥିବା ଭୁଲ କାମର ପ୍ରାୟଶ୍ଚିତ୍ତ କରିବା ପାଇଁ ଗଙ୍ଗାଜଳ ବାଣ୍ଟିବା ଆରମ୍ଭ କରିଥିଲେ । ପାର୍ବତୀଙ୍କ ପତି ବହୁ ଆଗରୁ ମରି ଯାଇଥିଲେ । ଏକମାତ୍ର ପୁଅ ଶ୍ଳୋକଙ୍କୁ ଚାହିଁ ସେ ବଞ୍ଚି ରହିଥିଲେ। କିନ୍ତୁ ୧୯ ବର୍ଷ ହେବା ପରେ ଶ୍ଳୋକ ତାଙ୍କ ଠାରୁ ଅଲଗା ରହୁଥିଲା । ଦିନେ ହଠାତ୍‌ ପୋଲିସ୍‌ଠାରୁ ପୁଅର ମୃତ୍ୟୁ ସମ୍ପର୍କରେ ଖବର ପାଇଁ ସେ ପ୍ରାୟଶ୍ଚିତ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ସେଇ ଦିନ ଠାରୁ ସେ ପ୍ରତିଦିନ ଶିବକୁଟି ଘାଟରେ ଗଙ୍ଗାସ୍ନାନ କରି ପୁଅ ପାଇଁ ପୂଜା କରନ୍ତି ଓ ଗଙ୍ଗାଜଳ ନେଇ ବିଭିନ୍ନ କାର୍ଯ୍ୟାଳୟରେ ବାଣ୍ଟିଥାନ୍ତି ।

Share