ପୁଅର ମୃତ୍ୟୁ ଖବର ଶୁଣି ଆରପାରିକୁ ଚାଲିଗଲେ ମା’

ବାଲେଶ୍ୱର ଅଫିସ, ୧୬।୩-ଚିକିତ୍ସା ଅବହେଳାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ନିକଟରେ ଅଭିଯୋଗ କରିଥିଲେ। ସଦର ବିଧାୟକ ମଦନମୋହନ ଦତ୍ତ ପହଞ୍ଚତ୍ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଛୋଟରାୟଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ନ ପାଇବାରୁ ସେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଅନ୍ୟପକ୍ଷରେ ଡାକ୍ତରଖାନାରେ ପୁଅର ମୃତ୍ୟୁ ହୋଇଥିବା ଖବର ଶୁଣି ତାଙ୍କ ମା’ଙ୍କର ମଧ୍ୟ ହୃଦ୍‌ଘାତରେ ପରଲୋକ ହୋଇଯାଇଛି।
ସହର ନିଟକସ୍ଥ ନୂଆପୁର ଅଞ୍ଚଳର ଶ୍ରୀକାନ୍ତ ଲେଙ୍କାଙ୍କ ଦେହ ଖରାପ ହେବାରୁ ଶନିବାର ରାତିରେ ତାଙ୍କୁ ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଡାକ୍ତରଙ୍କ ପରାମର୍ଶରେ ଉପସ୍ଥିତ ନର୍ସ ତାଙ୍କୁ ଚିକିତ୍ସା କରିଥିଲେ। ରବିବାର ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାର ଓ ଗ୍ରାମବାସୀ ନର୍ସ ଭୁଲ୍‌ ଇଞ୍ଜେକଶନ ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ କରି ମୃତଦେହକୁ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣି ତାଙ୍କ ମା’ ମଧ୍ୟ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ। ଏବେ ତାଙ୍କ ପରିବାରରେ କେବଳ ମୃତ ଶ୍ରୀକାନ୍ତଙ୍କ ଦିବ୍ୟାଙ୍ଗ ନାବାଳକ ପୁଅ ଅଛନ୍ତି। ସେ କିପରି ଉଭୟ ବାପା ଓ ଜେଜେମା’ଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ କରିବେ ସେନେଇ ଗ୍ରାମବାସୀ ବ୍ୟସ୍ତ ହୋଇପଡିଥିଲେ। ସଦର ବିଧାୟକ ଦତ୍ତ ସମସ୍ତ ଘଟଣା ଜାଣିବା ପରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ଯୋଗାଯୋଗ କରି ମୃତକ ପରିବାରଙ୍କୁ ରେଡ଼କ୍ରସ୍‌ରୁ ୧୦ହଜାର ଟଙ୍କା ସହାୟତା ଦେବା ପରେ ଗ୍ରାମବାସୀ ଗାଁକୁ ଫେରି ଗାଁ ଶ୍ମଶାନରେ ଦୁଇଜଣଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରିଥିବା ଜଣାପଡ଼ିଛି।