Advertisement

ପୁଅର ସମାଧି ଉପରେ ପୂଜାର୍ଚ୍ଚନା, ଗୁଣିଗାରେଡି ସନ୍ଦେହ କଲେ ବାପା

ପାଟଣାଗଡ଼,୧୩ା୯ (ଡି.ଏନ.ଏ.): ବିଜ୍ଞାନର ଢେର ଅଗ୍ରଗତି ଘଟିଛି। ଅନ୍ଧବିଶ୍ୱାସ, କୁସଂସ୍କାର ଦୂର ହୋଇଛି ବୋଲି ପ୍ରଚାର ଚାଲିଛି । ହେଲେ ଆଜି ବି ଗୁଣିଗାରେଡି ପ୍ରତି ଲୋକଙ୍କ ବିଶ୍ୱାସ ରହିଛି । ବଲାଙ୍ଗୀର ଜିଲା ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ ଗ୍ରାମରେ ଏପରି ଏକ ଘଟଣା ସାମ୍‌ନାକୁ ଆସିଛି ା ଜଣେ ଶିଶୁର ମୃତ୍ୟୁର ୨୩ଦିନ ପରେ ତାଙ୍କ ସମାଧି ଉପରେ କେହି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ସମାଧିର ଗୋଟିଏ ଥାକ ଇଟା କାଢି କେହି ଧୂପ, ଦୀପ, ସିନ୍ଦୁର ଦେଇ ପୂଜାର୍ଚ୍ଚନା କରିଛନ୍ତି । ମୃତ ଶିଶୁଙ୍କ ବାପା ଏହା ଦେଖିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଭୟଭୀତ ହୋଇ ପଡିଛନ୍ତି। ଗୁଣିଗାରେଡି ପାଇଁ ଏପରି ପୂଜାର୍ଚ୍ଚନା କରାଯାଇଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗଁ।ର ନାରାୟଣ ବରିହାଙ୍କ ଦେଢବର୍ଷର ପୁଅ ଲକି ଗତ ଅଗଷ୍ଟ ୨୧ତାରିଖରେ ଜ୍ୱରରେ ପୀଡିତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ବାଟରେ ଶିଶୁଟିର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ମୃତଦେହକୁ ନିଜ ଜମିକୁ ନେଇ ମାଟି ଖୋଳି ପୋତି ଦେଇଥିଲେ। ପୋତାଯାଇଥିବା ସ୍ଥଳରେ ଇଟା ବାଡ ଦେଇ ଆବଦ୍ଧ କରିଥିଲେ। ମୃତ୍ୟୁର ୨୩ଦିନ ପରେ ଗୁରୁବାର ନାରାୟଣ ତାଙ୍କ ନିଜ ଜମିକୁ ଯାଇଥିଲା ବେଳେ ସାମାଧୀ ସ୍ଥଳର ଗୋଟିଏ ଥାକ ଇଟା କଢାଯାଇଥିବା ଦେଖିବାକୁ ପାଇଥିଲେ। ମାଟିତଳୁ ପୁଅର ମୃତଦେହ କାଢି କେହି ଗୁଣି ଗାରେଡି କରିବାକୁ ଚାହୁଁଥିବା ସେ ସନ୍ଦେହ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share