ପୁଅ ଅଙ୍ଗ ଦାନକରି ଉଦାହରଣ ପାଲଟିଲେ ମାତାପିତା: ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୫ ଲକ୍ଷ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ମାତାପିତାଙ୍କ ପାଇଁ ସେମାନଙ୍କ ପିଲା ସବୁକିଛି। ଜୀବନର ସମସ୍ତ ଦୁଃଖକଷ୍ଟ ସହି ନିଜ ସନ୍ତାନସନ୍ତତିଙ୍କୁ ବଢ଼ାଇବା ସହ ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ଦେଖିଥାଆନ୍ତି। ଯଦି ମାତାପିତାଙ୍କ ଆଗରେ ପିଲାର ମୃତ୍ୟୁ ହୁଏ, ତେବେ ଏହାଠୁ ବଡ଼ ଦୁଃଖ କିଛି ନ ଥାଏ। ଏଭଳି ଏକ ଦୁଃଖକୁ ସାମ୍‌ନା କରି ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଛେଦାଭୂମି ରୋଡ଼ ବାସିନ୍ଦା ସ୍ବର୍ଗତ ସୁରଜ ବେହେରାଙ୍କ ମାତାପିତା ନିଜ ପୁତ୍ରର ୬ଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ(୨ଟି କିଡ୍‌ନୀ, ଲିଭର, ହାର୍ଟ ଏବଂ ଦୁଇ ଆଖି) ଦାନକରି ରୋଗୀଙ୍କ ବହୁ ମୂଲ୍ୟ ଜୀବନ ବଞ୍ଚାଇପାରିଛନ୍ତି। ଆଉ ଏଥିପାଇଁ ସେମାନେ ମାନବ ସମାଜ ଲାଗି ଏକ ଉଦାହରଣ ପାଲଟିଛନ୍ତି। ଏଭଳି ମହାନତା ପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି। ଦାରିଦ୍ର୍ୟ ସତ୍ତ୍ୱେ ଏହି ମହାନତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସାଧୁବାଦ୍‌ ଦେବା ସହିତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି। ସୁରଜଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର। ତାଙ୍କର କୌଣସି ଘରଡିହ କିମ୍ବା ଜମି ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ଘରଡିହ ଓ ବିଜୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ଅଙ୍ଗଦାନ କରୁଥିବା ବ୍ୟକ୍ତିବିଶେଷ ଏବଂ ଏହି କାର୍ଯ୍ୟ ପାଇଁ ପ୍ରୋତ୍ସାହନ କରୁଥିବା ସଂସ୍ଥାଗୁଡ଼ିକୁ ‘ସୁରଜ’ଙ୍କ ନାମରେ ପ୍ରତିବର୍ଷ ପୁରସ୍କାର ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Share