ପୁଅ ଉପରେ ଏସିଡ୍‌ ଢାଳିଲେ ବାପା

ଶଙ୍କରାଖୋଲ,୨୩ା୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଟିକାବାଲି ଥାନା କଇଁଝର ପଞ୍ଚାୟତ କୁଟିଗଡ ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସାନପୁଅ ଉପରେ ଏସିଡ୍‌ ଢାଳି ଦେଇଛନ୍ତି ବାପା। ଏନେଇ ଟିକାବାଲି ଥାନାରେ ସାନପୁଅ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ମାତ୍ର ତାଙ୍କ ମା’ ପାଲଟା ଅଭିଯୋଗ କରିଛନ୍ତି ଯେ ସାନପୁଅ ସ୍ବାମୀଙ୍କୁ ଆକ୍ରମଣ କରିବାରୁ ଆତ୍ମରକ୍ଷା କରିବାକୁ ଯାଇ ସେ ଏସିଡ୍‌ ପକାଇ ଦେଇଥିଲେ। ପ୍ରକାଶ ଯେ, ସକାଳେ ସନାତନ ନାୟକଙ୍କ ଘରେ ପୂଜା ଚାଲିଥିଲା। ସାନପୁଅ ଅରକ୍ଷିତ ନିଶାସକ୍ତ ଅବସ୍ଥାରେ ଆସି ଘରେ ଗାଳିଗୁଲଜ କରିଥିଲେ। ସନାତନ ଏହାର ପ୍ରତିବାଦ କରିବାରୁ ସେ ତଣ୍ଟିଚିପି ମାରିବାକୁ ଉଦ୍ୟମ କରିଥିଲା। ସନାତନ ସୁନା ଦୋକାନରେ କାମ କରୁଥିବାବେଳେ ଘରେ ରଖିଥିବା ଏସିଡ୍‌ ଆଣି ପୁଅ ଉପରକୁ ଫିଙ୍ଗି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ନଂ.୨୪ ଓ ୨୫/୨୦ରେ ପୃଥକ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

Share