ପୁଅ କଟୁରି ଚୋଟରେ ମା’ ଗୁରୁତର: ଅଭିଯୁକ୍ତ ଗିରଫ

ଡେଲାଙ୍ଗ,୧୩ା୯(ଡି.ଏନ୍‌.ଏ.): ଡେଲାଙ୍ଗ ଥାନା ଅନ୍ତର୍ଗତ ପଟଣପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅର କଟୁରି ଚୋଟରେ ମା’ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା (ନଂ.୧୬୨/୧୯)ରୁଜୁ କରିବା ସହ ଅଭିଯୁକ୍ତ ବୈକୁଣ୍ଠ ବେହେରାଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ପଟଣପୁର ଗ୍ରାମର ବୈକୁଣ୍ଠ ଶ୍ୱଶୁର ଘରକୁ ଯିବାପାଇଁ ତାଙ୍କ ମା’ଙ୍କୁ ଟଙ୍କା ମାଗିଥିଲେ। ମା’ ତାଙ୍କୁ ୫୦୦ଟଙ୍କା ଦେଇଥିଲେ। ଏହା ପରେ କୌଣସି କାରଣକୁ ନେଇ ବୈକୁଣ୍ଠ ମା’ଙ୍କୁ ଗାଳିଗୁଲଜ କରିବା ସହ ଏକ କଟୁରିରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ମା’ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବରପାଇ ଥାନା ଏସ୍‌ଆଇ ଉପେନ୍ଦ୍ର ନାଥ ଦାସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବୈକୁଣ୍ଠକୁ ଗିରଫ କରିଥିଲେ। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।