ତେଲକୋଇ,୧୨।୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ୮ ବର୍ଷର ଶିଶୁପୁତ୍ରକୁ ତାଙ୍କ ବାପା ନିସ୍ତୁକ ପିଟୁଥିଲେ। ଏଥିଯୋଗୁ ପିଲାଟି ଉଲଗ୍ନ ଅବସ୍ଥାରେ ଲହୁଲୁହାଣ ହୋଇ ଦୌଡ଼ୁଥିଲେ ମଧ୍ୟ ବାପା ତାଙ୍କୁ ଛାଡ଼ି ନ ଥିଲେ। ଏକ ବେସରକାରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିବା ଏହି ଶିଶୁପୁତ୍ର ବାପାଙ୍କ ମାଡ଼ରେ ଏତେ ଭୟଭୀତ ହୋଇପଡିଥିଲେ ଯେ, ବାପାଙ୍କ ମାଡ଼ରୁ ରକ୍ଷାପାଇବା ପାଇଁ ତେଲକୋଇ ବଜାରରେ ଦୌଡିଥିଲେ। ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।
ପୁଅର ପାଠ ପଢ଼ାକୁ ନେଇ ବାପା ଅଶ୍ୱିନୀ କୁମାର ପାତ୍ର ତାକୁ ନିସ୍ତୁକ ମାଡ଼ ମାରିବା ସହ ଉଲଗ୍ନ କରି ପିଠିରେ ଗଧ ଲେଖିଦେଇଥିଲେ। ତାଙ୍କ ମାଡ଼ରେ ପିଲାଟିର ବାମହାତରେ ଗଭୀର ଆଘାତ ଲାଗିଥିଲା। ଫଳରେ ପିଲାଟି ମାଡରୁ ରକ୍ଷା ପାଇବା ପାଇଁ ଉଲଗ୍ନ ଅବସ୍ଥାରେ ଦୌଡ଼ି ଦୌଡ଼ି ଜଗନ୍ନାଥ ମନ୍ଦିର ପାଖରେ ପହଞ୍ଚିଥିଲେ।
ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପିଲାଟିକୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଏନେଇ ପୋଲିସ ନିଜ ପକ୍ଷରୁ ଆଇପିସି ଧାରା ୩୪୧, ୨୯୪, ୫୦୬, ୩୨୩ ଓ ୩୨୫ରେ ଏକ ମାମଲା (ନଂ. ୨୫/୨୦)ରୁଜୁ କରି ଅଶ୍ୱିନୀଙ୍କୁ ଗିରଫ କରିଥିବା ତେଲକୋଇ ଥାନା ଆଇଆଇସି ପଦ୍ମାସିନୀ ମେହେର କହିଛନ୍ତି। ଅଶ୍ୱିନୀ ଏକ ବ୍ୟାଙ୍କରେ ଚାକିରି କରୁଥିବା ସୂଚନା ମିଳିଛି।