ପୁଅ ବିଦେଶରୁ ଫେରିଥିବା ସୂଚନା ଦେଇ ନ ଥିବାରୁ ଡିଏସ୍‌ପିଙ୍କ ନାଁରେ ଏତଲା

ହାଇଦ୍ରାବାଦ,୨୫।୩: ସାରା ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କିନ୍ତୁ କେତେକ ଲୋକ ଏହି ନିୟମକୁ ମାନୁ ନ ଥିବାରୁ କରୋନା ଭାଇରସ୍‌ ବ୍ୟାପିବାର ଅଧିକ ଭୟ ରହିଛି। ଇତିମଧ୍ୟରେ ହାଇଦ୍ରାବାଦରୁ ଜଣେ ପୋଲିସ ଅଧିକାରୀଙ୍କ ଦାୟିତ୍ୱହୀନତା ସାମ୍ନାକୁ ଆସିଛି। ବିଦେଶ ଫେରନ୍ତାଙ୍କ ସମ୍ବନ୍ଧରେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇବା ବାଧ୍ୟତାମୂଳକ ଥିବା ବେଳେ ତେଲେଙ୍ଗାନାର ଡିଏସ୍‌ପି ତାହା ନ କରିବା ସହ ୧୪ଦିନିଆ କ୍ୱାରାଣ୍ଟାଇନ୍‌ରେ ମଧ୍ୟ ନ ଥିଲେ । ପୁଅ ଲଣ୍ଡନରୁ ଫେରିବା କଥା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନ ଜଣାଇବା ଏବଂ କ୍ୱାରାଣ୍ଟାଇନ ନିୟମକୁ ଉଲ୍ଲଂଘନ କରିଥିବାରୁ ଡିଏସ୍‌ପି ଏବଂ ତାଙ୍କ ପୁଅଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ତେଲେଙ୍ଗାନାର ଭଦ୍ରାଦି କୋଠାଗୁଡେମର ଡିଏସ୍‌ପିଙ୍କ ପୁଅ ମାର୍ଚ୍ଚ ୧୮ରେ ଲଣ୍ଡନରୁ ଫେରିଥିଲେ। ଏନେଇ ସେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ନ ଥିବା ବେଳେ କିଛି ଦିନ ତଳେ ଉକ୍ତ ଡିଏସ୍‌ପିଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କ ପୁଅଙ୍କୁ ମଧ୍ୟ ଯାଞ୍ଚ କରାଯାଇଥିଲା। ପୁଅ ସହ ଘରେ କାମ କରୁଥିବା ମହିଳାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଏହାପରେ ପ୍ରଶାସନ ପକ୍ଷରୁ ଆଖପାଖ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇ ସେମାନଙ୍କର ଯାଞ୍ଚ କରାଯାଉଛି।

Share