Categories: ବାଣିଜ୍ୟ

ପୁଞ୍ଜିବଜାରରେ ୧୧,୧୩୨ କୋଟି ଏଫ୍‌ପିଆଇ ନିବେଶ

ମୁମ୍ବାଇ,୧୭-୬: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ଜୁନ୍‌ରେ ଅଦ୍ୟାବଧି ଘରୋଇ ପୁଞ୍ଜି ବଜାରରେ ୧୧,୧୩୨ କୋଟି ଟଙ୍କା ନିବେଶ କରିଛନ୍ତି। ଡିପୋଜିଟୋରୀ ପରିସଂଖ୍ୟାନରୁ ଏହା ସ୍ପଷ୍ଟ ହୋଇଛି। ପ୍ରାପ୍ତ ତଥ୍ୟ ଅନୁଯାୟୀ, ଜୁନ ୧୪ ତାରିଖ ସୁଦ୍ଧା ଏଫ୍‌ପିଆଇଙ୍କ ପକ୍ଷରୁ ଶେୟାରରେ ୧,୫୧୭.୧୨ କୋଟି ଟଙ୍କା ଏବଂ ଋଣ ବା ବଣ୍ଡ ବଜାରରେ ୯,୬୧୫.୬୪ କୋଟି ଟଙ୍କା ନିବେଶ କରାଯାଇଛି। ଗ୍ରୋ କେ’ର ମୁଖ୍ୟ ପରିଚାଳନା ଅଧିକାରୀ(ସିଓଓ) ହର୍ଷ ଜୈନଙ୍କ କହିବାନୁଯାୟୀ, ଭାଜପା ନେତୃତ୍ୱରେ ଏନ୍‌ଡିଏ ସରକାର ପୁନର୍ବାର କ୍ଷମତାକୁ ଫେରିବା ପରେ ବଣ୍ଡ ବଜାରରେ ଅର୍ଥ ପ୍ରବାହ ଦୃଢ଼ ହୋଇଛି। ଏହାବ୍ୟତୀତ ଡଲାର ମୁକାବିଲାରେ ଟଙ୍କାରେ ସ୍ଥିରତା ଆସିବା କାରଣରୁ ବଣ୍ଡ ବଜାରରେ ପୁଞ୍ଜି ଆସୁଛି। ଏଥିପୂର୍ବରୁ ଏଫପିଆଇଙ୍କ ପକ୍ଷରୁ ମେ’ରେ ୯୦୩୧.୧୫ କୋଟି, ଏପ୍ରିଲରେ ୧୬,୦୯୩ କୋଟି, ମାର୍ଚ୍ଚରେ ୪୫,୯୮୧ କୋଟି ଏବଂ ଫେବୃୟାରୀରେ ୧୧,୧୮୨ କୋଟି ଟଙ୍କା ନିବେଶ କରାଯାଇଛି।

Share