ପୁଞ୍ଜିଲାଲଙ୍କୁ ୪ ଦିନିଆ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ

କଟକ ଅଫିସ,୨୨।୧: ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବୁଧବାର ଅନ୍ତରୀଣ ଜାମିନ ମିଳିଛି। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ଲାଗି ହାଇକୋର୍ଟ ତାଙ୍କୁ ୪ ଦିନ ଜାମିନ ଦେଇଥିବା ସୂଚନା ମିଳିଛି। ପୁଞ୍ଜିଲାଲଙ୍କ ଜାମିନ ଆବେଦନର ଶୁଣାଣି କରି କୋର୍ଟ ତାଙ୍କୁ୨୪ ତାରିଖରେ ଯାଇ ୨୮ ତାରିଖ ୧୧ଟା ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କଡ଼ା ସର୍ତ୍ତ ମଧ୍ୟ ରଖିଛନ୍ତି। ଜାମିନ ଅବଧୀରେ ଗଣମାଧ୍ୟମକୁ ନ ଭେଟିବାକୁ କୁହାଯାଇଛି। ବାହାରକୁ ଗଲେ ସ୍ଥାନୀୟ ଥାନାଧିକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶଯୋଗ୍ୟ, ୨୦୧୮ ଫେବୃୟାରୀ ୨୩ ତାରିଖରେ ପାଟଣାଗଡ଼ ଅଞ୍ଚଳର ନବବିବାହିତ ସୌମ୍ୟଶେଖର ସାହୁଙ୍କ ପାଖକୁ ଏକ ପାର୍ସଲ ଆସିଥିଲା। ଏହାକୁ ଖୋଲିବା ମାତ୍ରେ ତାହା ବିସ୍ଫୋରଣ ଘଟିଥିଲା। ଏଥିରେ ସୌମ୍ୟ ଓ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଏପ୍ରିଲ ୨୫ରେ ତାଙ୍କୁ ଗିରଫ କରିଥିଲା। ନିକଟରେ ମା’ଙ୍କ ମୃତ୍ୟୁ ପରେ ପୁଞ୍ଜିଲାଲ ମୁଖାଗ୍ନି ଦେବା ପାଇଁ ଗୋଟିଏ ଦିନ ଜାମିନରେ ଯାଇଥିଲେ। ସେଠାରୁ ଫେରିବା ପରେ ସେ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ କରିଥିଲେ।

Share