Categories: ବାଣିଜ୍ୟ

ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ ହୋଇ ନ ପାରେ

ନୂଆଦିଲ୍ଲୀ,୩-୧: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ସରକାର ଧାର୍ଯ୍ୟ କରିଥିବା ୧.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟକୁ ହାସଲ କରି ନ ପାରନ୍ତି। ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌), କଣ୍ଟେନର କର୍ପୋରେଶନ ଅଫ୍‌ ଇଣ୍ଡିଆ(କନକର୍ପ)ଏବଂ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଘରୋଇକରଣ ଲାଗି ଯୋଜନା ରଖିଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏହା ଶେଷ ହୋଇ ନ ପାରେ। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି। ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା(ଦୀପମ) ବିଭାଗର ଏହି ଅଧିକାରୀ ଜଣକ କହିଛନ୍ତି ଯେ, ଏହି କମ୍ପାନୀଗୁଡିକର ଅଂଶଧନ ଉପରେ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରକ୍ରିୟା ଆରମ୍ଭ ହେବା ପରେ କିଛି ଅସୁବିଧା ସାମ୍ନାକୁ ଆସିବା ପରେ ଏହି ଧାରାରେ ବିଳମ୍ବ ଉପୁଜୁଛି।
ସରକାର ୧.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଲକ୍ଷ୍ୟ ନେଇ ଅଗ୍ରସର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା କେବଳ ୧୨,୩୫୯ କୋଟି ଟଙ୍କା ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ଏହି ସମୟରେ ବିତ୍ତୀୟ ନିୟଣ୍ଟ ବଜେଟ ଧାର୍ଯ୍ୟ ଲକ୍ଷ୍ୟ ଟପି ୧୧୫% ଛୁଇଁଛି। ଏହା ଯୋଗୁ ପୁଞ୍ଜି ପ୍ରତ୍ୟାହାର ଉପରେ ପ୍ରଭାବ ପଡିବକି ନାହିଁ ସେ ଉପରେ କୌଣସି ଉତ୍ତର ରଖି ନାହାନ୍ତି। ବିପିସିଏଲ୍‌ର ଷ୍ଟ୍ରାଟେଜିକ ବିନିବେଶ ଦ୍ୱାରା ସରକାରଙ୍କୁ ୬୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ମିଳିବାର ସମ୍ଭାବନା ରହିଛି। ଅଧିକାରୀ କହିଛନ୍ତି ଯେ, ସରକାର ଏବେ ବିତ୍ତୀୟ ବିବରଣୀ ପ୍ରସ୍ତୁତ କରୁଛନ୍ତି। ଅଂଶଧନ ବିକ୍ରିର ବିଭିନ୍ନ ତଥ୍ୟ ଏବେ ଲୋଡାଯାଉଛି। ଏହି ପ୍ରକ୍ରିୟାରେ କିଛି ସମୟ ଲାଗି ଥାଏ ବୋଲି ଅଧିକାରୀ ମତ ଦେଇଛନ୍ତି। କନକର୍ପର ଘରୋଇକରଣ ନିଶ୍ଚିତ ସ୍ଥିତିରେ ରହିଛି। ଏ ନେଇ ଚୂଡାନ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ମତ ରଖିଛନ୍ତି।

Share