Categories: ବାଣିଜ୍ୟ

ପୁଞ୍ଜି ବଜାରରୁ ଉଠାଇ ନେଲେ ୩୭,୯୭୬ କୋଟି

ମୁମ୍ବାଇ,୧୬।୩: କରୋନା ଯୋଗୁ ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ସ୍ଥିତି ଉପୁଜିବା ଆଶଙ୍କାରେ ବିଦେଶୀ ନିବେଶକ ଛାନିଆ ହୋଇ ପଡିଛନ୍ତି। ମାର୍ଚ୍ଚ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଫରେନ ପୋର୍ଟଫୋଲିଓ ନିବେଶକମାନେ ଦେଶର ପୁଞ୍ଜି ବଜାରରୁ ୩୭,୯୭୬ କୋଟି ଟଙ୍କା ନେଟ୍‌ ଭିତ୍ତିରେ ଉଠାଇ ନେଇଥିବା ଜଣାପଡିଛି। ବିଦେଶୀ ନିବେଶକମାନେ ଇକ୍ୱିଟିରୁ ୨୪,୭୭୬.୩୬ କୋଟି ଏବଂ ଡେଟ୍‌ ସେଗ୍‌ମେଣ୍ଟରୁ ୧୩,୧୯୯.୫୪ କୋଟି ଟଙ୍କା ଉଠାଇ ନେଇଥିବା ଡିପୋଜିଟୋରି ଡାଟାରୁ ସାମ୍ନାକୁ ଆସିଛି। ଏଭଳି ଭାବେ ବିଚାର କଲେ ମୋଟ ୩୭,୯୭୫.୯୦ କୋଟି ଟଙ୍କାର ନେଟ୍‌ ଅର୍ଥ ବାହାରକୁ ଚାଲିଯାଇଛି। ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବର ପରଠାରୁ ବିଦେଶୀ ନିବେଶକମାନେ ନିବେଶ କରି ଆସୁଥିଲେ।
କରୋନାକୁ ଏବେ ମହାମାରୀ ଭାବେ ଘୋଷଣା କରାଯାଇଛି। ଏହା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଲଗାତାର ପ୍ରଭାବ ପକାଇ ଚାଲିଛି। କେବଳ ଭାରତ ପୁଞ୍ଜି ବଜାର ନୁହେଁ ସାରା ବିଶ୍ୱର ପୁଞ୍ଜି ବଜାର ଏହି ଭାଇରସ ପ୍ରଭାବରେ ନିମ୍ନଗାମୀ ହୋଇଛି ବୋଲି ମର୍ନିଂ ଷ୍ଟାର ଇନଭେଷ୍ଟମେଣ୍ଟ ଆଡଭାଇଜର ଇଣ୍ଡିଆର ସିନିୟର ଆନାଲିଷ୍ଟ ହିମାଂଶୁ ଶ୍ରୀବାସ୍ତବ କହିଛନ୍ତି। ଗତ ସପ୍ତାହରେ ବିଶ୍ୱ ପୁଞ୍ଜି ବଜାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ବିଦେଶୀ ନିବେଶକମାନେ ନିବେଶର ଏକ ନିରାପଦ ସ୍ଥାନ ଖୋଜୁଛନ୍ତି।
କରୋନାର ପ୍ରଭାବ ଲାଗି ରହିଥିବାରୁ ଭାରତ ଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକୁ ପୁଞ୍ଜି ଆଗମନ ହେବା ଏବେ ଚ୍ୟାଲେଞ୍ଜ ପାଲଟିଛି ବୋଲି ଶ୍ରୀବାସ୍ତବ କହିଛନ୍ତି। ବିଶ୍ୱ ବଜାରର ସ୍ଥିତି ଏବେ ଅସ୍ଥିର ରହିଛି। ବିଭିନ୍ନ ଦେଶ ସେମାନଙ୍କ ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ସୁଧାରିବା ଲାଗି ଆର୍ଥତ୍କ ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଏହାବାଦ ଶିଳ୍ପଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ଟିକସ ରିହାତି ଦେଇପାରନ୍ତି। ଏଭଳି ପଦକ୍ଷେପ ଘୋଷଣା ହେଲେ ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଆସିପାରେ ବୋଲି ‘ଗ୍ରୋ’ର ସହପ୍ରତିଷ୍ଠାତା ତଥା ସିଓଓ ହର୍ଷ ଜୈନ କହିଛନ୍ତି।

Share