ପୁଟିନ୍‌ଙ୍କୁ ବ୍ୟଙ୍ଗ କଲେ ଟ୍ରମ୍ପ୍‌: ଏଥର ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ କରିବ ନାହିଁ

ଓସାକା,୨୯ା୬(ଆଇଏଏନ୍‌ଏସ୍‌): ଜାପାନର ଓକାସା ସହରରେ ଚାଲିଥିବା ୨ ଦିନିଆ ଜି-୨୦ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କୁ ସାକ୍ଷାତ୍‌ କରିଛନ୍ତି। ହ୍ବାଇଟ୍‌ ହାଉସ୍‌କୁ ପୁଣି ଫେରିବାକୁ ଲକ୍ଷ୍ୟ ରଖିଥିବା ଟ୍ରମ୍ପ୍‌ ଏହି ଅବସରରେ ପୁଟିନ୍‌ଙ୍କୁ ବ୍ୟଙ୍ଗ କରି ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହସ୍ତକ୍ଷେପ ନ କରିବାକୁ ଅନୁରୋଧ କରିଛନ୍ତି।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମସ୍କୋ ହସ୍ତକ୍ଷେପ କରିଥିବା ଅଭିଯୋଗ ହେବା ପରେ ବିବାଦ ସୃଷ୍ଟି ହୋଇଥିଲା। ଓସାକାରେ ଶୁକ୍ରବାର ଦୁଇ ବିଶ୍ୱନେତା ପରସ୍ପରକୁ ସାକ୍ଷାତ କରିବା ସମୟରେ ଜଣେ ଖବରଦାତା ଟ୍ରମ୍ପ୍‌ଙ୍କୁ ପ୍ରଶ୍ନ କରିଥିଲେ, ଆପଣ ରୁଷିଆ ରାଷ୍ଟ୍ରପତିଙ୍କୁ ୨୦୨୦ ନିର୍ବାଚନରେ ହସ୍ତକ୍ଷେପ ନ କରିବାକୁ କହିବେ କି। ଏହାର ଉତ୍ତରରେ ଟ୍ରମ୍ପ୍‌ କହିଥିଲେ, ହଁ ନିଶ୍ଚୟ। ପରେ ସେ ପୁଟିନ୍‌ଙ୍କ ଆଡ଼କୁ ପାଖେଇ ଯାଇ ଓ ତାଙ୍କ ଆଖିକୁ ନ ଚାହିଁ ସ୍ମିତହାସ୍ୟ ମୁହଁରେ କହିଥିଲେ, ଦୟାକରି ଏହି ନିର୍ବାଚନରେ ହସ୍ତକ୍ଷେପ କରନାହିଁ। ପୁଟିନ୍‌ ମଧ୍ୟ ହସିଦେଇ ତାଙ୍କ କଥା ଦୋହରାଇଥିଲେ, ଏହି ନିର୍ବାଚନରେ ମୁଣ୍ଡ ଖେଳାଅ ନାହିଁ। ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ହସ୍ତକ୍ଷେପରେ ପୁଟିନଙ୍କ ବିଶ୍ୱସନୀୟତାକୁ ନେଇ ଟ୍ରମ୍ପ୍‌ ପ୍ରଶ୍ନ ଉଠାଇଥିଲେ। ହେଲ୍‌ସିଙ୍କି ସମ୍ମିଳନୀ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ସାକ୍ଷାତ। ଏହି ଅବସରରେ ଟ୍ରମ୍ପ୍‌ ତାଙ୍କ ରୁଷିଆ ପ୍ରତିପକ୍ଷଙ୍କୁ ପ୍ରଶଂସା କରିବା ସହ ବାଣିଜ୍ୟ, ନିରସ୍ତ୍ରୀକରଣ ଓ ଭେନିଜୁଏଲା ସଙ୍କଟ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Share