Categories: ବାଣିଜ୍ୟ

ପୁଣିଥରେ ଲାଗୁ ହୋଇପାରେ ନଗଦ ଉଠାଣ ଟିକସ

ନୂଆଦିଲ୍ଲୀ,୨୮-୫: କେନ୍ଦ୍ରରେ ଦ୍ୱିତୀୟଥର ନରେନ୍ଦ୍ର ମୋଦି ସରକାର ଗଠନ ହେବାକୁ ଯାଉଛି। ସରକାର ଏଥର ଦୃଢ଼ତାର ସହ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଆଗେଇନେବେ ବୋଲି ଜନତା ଆଶାକରୁଛନ୍ତି। ବିଶେଷ କରି କଳାଧନ ସୃଷ୍ଟି ଉପରେ ଅଙ୍କୁଶ ଲଗାଇବାକୁ ଏଥର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ମିଡିଆରେ ଆରମ୍ଭ ହୋଇଥିବା ଚର୍ଚ୍ଚା ଅନୁଯାୟୀ, କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ୍‌ କ୍ୟାଶ୍‌ ଟ୍ରାଞ୍ଜାକ୍‌ଶନ ଟ୍ୟାକ୍ସ ଅର୍ଥାତ ନଗଦ ଉଠାଣ ଉପରେ ଟିକସ ଲାଗୁ କରିବାକୁ ଯାଉଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ନୀତି ନିର୍ଦ୍ଧାରକମାନେ ଏ ନେଇ ବିଚାରବିମର୍ଶ ଆରମ୍ଭ କରିଦେଇଛନ୍ତି। ନଗଦ ଉଠାଣକୁ ହତୋତ୍ସାହିତ କରିବାକୁ ଯାଇ ଏଭଳି ଟିକସ ବ୍ୟବସ୍ଥା ଲାଗୁ କରାଯାଇଥାଏ। ଏହାଛଡ଼ା ଉତ୍ତରାଧିକାର ସୂତ୍ରରେ ମିଳୁଥିବା ସମ୍ପତ୍ତି ଉପରେ ମଧ୍ୟ ଟିକସ ଲାଗୁ କରିବା ଲାଗି ବିଚାର କରାଯାଉଛି। ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ, ଏଥିନେଇ ବିଚାର କରାଯାଉଛି। ବାସ୍ତବରେ ଏହି ଟିକସ ଆଦାୟ କିଭଳି ପ୍ରଭାବଶାଳୀ ହେବ ତାହା ମଧ୍ୟ ବିଚାର କରାଯାଉଛି ବୋଲି ସେ କହିଛନ୍ତି। କାରଣ ଏଭଳି ଟିକସ ଅତ୍ୟନ୍ତ ସାମାନ୍ୟ ହୋଇଥାଏ। ଏଭଳି ବ୍ୟବସ୍ଥା ମାଧ୍ୟମରେ ସରକାର ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିନାହାନ୍ତି, ବରଂ କଳାଧନ କାରବାରକୁ ରୋକିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଏହାଦ୍ୱାରା ଡିଜିଟାଲ ଟ୍ରାଞ୍ଜାକଶନକୁ ପ୍ରୋତ୍ସାହନ ମିଳିବ, ଯାହା ପ୍ରଧାମନ୍ତ୍ରୀ ମୋଦି ଚାହୁଁଛନ୍ତି। ସୂଚନାଥାଉ କି, ୟୁପିଏ-୧ ବେଳେ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ୨୦୦୫ ଜୁନ୍‌ ପହିଲାରେ ନଗଦ ଉଠାଣ ଉପରେ ପ୍ରଥମଥର ଟିକସ ଆଦାୟକୁ ଲାଗୁ କରିଥିଲେ। କିନ୍ତୁ ୨୦୦୯ ଏପ୍ରିଲ ପହିଲାରୁ ଏହାକୁ ହଟାଇ ନିଆଯାଇଥିଲା। କଳାଧନକୁ ରୋକିବା ଲାଗି ଅନ୍ୟ ବାଟ ଥିବାରୁ ଏଭଳି ପଦକ୍ଷେପର ଆବଶ୍ୟକତା ନାହିଁ ବୋଲି ସେତେବେଳେ କାରଣ ଦର୍ଶାଯାଇଥିଲା। ସେତେବେଳେ ଗୋଟିଏ ଦିନରେ ୫୦ ହଜାର ଟଙ୍କାରୁ ଅଧିକ ନଗଦ ଉଠାଣ ଉପରେ ୦.୧ ପ୍ରତିଶତ ଟିକସ ଆଦାୟ କରାଯାଉଥିଲା। ଅର୍ଥାତ୍‌ ପ୍ରତି ହଜାର ଟଙ୍କା ଉଠାଣରେ ଏକ ଟଙ୍କା ଟିକସ ଆଦାୟ କରାଯାଉଥିଲା। ଦେଖିବାକୁ ଗଲେ ଏହା ଅତ୍ୟନ୍ତ ନଗଣ୍ୟ। ସେଭିଙ୍ଗ୍‌ସ ଆକାଉଣ୍ଟ ଉଠାଣ ଉପରେ ଏହା ଲାଗୁ ହେଉ ନ ଥିଲା। ୨୦୦୫ରୁ ୨୦୦୯ ମଧ୍ୟରେ ଏ ବାବଦରେ ୧୦୦୦ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା।

Share