ପୁଣିଥରେ ସିଂଘମ ହେବାକୁ ଚାହୁଁଛନ୍ତି ଅଜୟ

ମୁମ୍ବାଇ: କରୋନା ଭାଇରସ ସହ ଲଢିବାକୁ ଏବେ ଯୋଦ୍ଧା ହୋଇ ଆଗଧାଡିରେ ଅଛନ୍ତି ଡାକ୍ତର, ନର୍ସ ଓ ପୋଲିସ। ଏହି ଯୁଦ୍ଧରେ ଜିତିବାକୁ ସମସ୍ତେ ଚେଷ୍ଟା ଚଳାଇଥିବା ବେଳେ ବଲିଉଡ୍‌ ମଧ୍ୟ ଏଥିପାଇଁ ସବୁବେଳେ ସହଯୋଗର ହାତ ବଢାଇଛି। ଏ କ୍ଷେତ୍ରରେ ନିଜର ଚିନ୍ତାଧାରାକୁ ନେଇ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବଲିଉଡ୍‌ ନାୟକ ଅଜୟ ଦେବଗନ। ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅଜୟ ଏବେ ମୁମ୍ବାଇ ପୋଲିସର ଖୁବ୍‌ ପ୍ରଶଂସା କରିଛନ୍ତି। କରୋନା ସହ ଲଢିବାକୁ ମୁମ୍ବାଇ ପୋଲିସ ଯେଉଁଭଳି କାମ କରୁଛି ତା’ର ସେ ପ୍ରଶଂସା କରିଛନ୍ତି। ଆହୁରି ମଧ୍ୟ ସେ ତାଙ୍କ ଟୁଇଟରରେ ମୁମ୍ବାଇ ପୋଲିସ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେତେବେଳେ ପୋଲିସକୁ ତାଙ୍କର ଆବଶ୍ୟକତା ପଡିବ ସେତେବେଳେ ଖାକି ପୋଷାକ ପିନ୍ଧି ତାଙ୍କ ସହ ସିଂଘମ ଠିଆହେବ ବୋଲି ସେ କହିଛନ୍ତି। ଅଜୟଙ୍କ ଏହି ଚିନ୍ତାଧାରାକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। କେହି କେହି ଲେଖିଛନ୍ତି ଅଜୟ ପୁଣିଥରେ ସିଂଘମ ହେବାକୁ ଚାହୁଁଛନ୍ତି। ନିକଟରେ କରୋନା ସହ ଲଢିବାକୁ ସେ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜକୁ ୫୧ ଲକ୍ଷ ଟଙ୍କା ଦାନ କରିଥିଲେ। ଏହା ମାଧ୍ୟମରେ ସେ ଜୁନିୟର ଆର୍ଟିଷ୍ଟ, ଷ୍ଟଣ୍ଟ ଆର୍ଟିଷ୍ଟ, ଲାଇଟ୍‌ ମ୍ୟାନ, ସ୍ପଟ ବୟ ଆଦିଙ୍କୁ ସାହାଯ୍ୟ କରିଥିବା ଜଣାପଡିଛି। କରୋନା ଭାଇରସ ପାଇଁ ଏବେ ଲକ୍‌ଡାଉନ ଥିବାରୁ ଅଜୟ ନିଜ ପରିବାର ସହ ଘରେ ରହି ସମୟ କାଟୁଛନ୍ତି। କରୋନା ସଂକ୍ରମଣ ପୂର୍ବରୁ ତାଙ୍କ ଫିଲ୍ମ ‘ତାନାଜୀ’ ରିଲିଜ୍‌ ହୋଇଥିବା ବେଳେ ଏହା ବକ୍ସ ଅଫିସରେ ଭଲ ବିଜନେସ୍‌ କରି ୩ଶହ କୋଟି କ୍ଲବରେ ସାମିଲ ହୋଇଥିଲା।

Share