୩ ଆଇପିଏସ୍‌ଙ୍କୁ ପଦୋନ୍ନତି, ମିଳିଲା ଡିଜି ପାହ୍ୟା

ଭୁବନେଶ୍ୱର,୩୧।୮(ବ୍ୟୁରୋ): ରାଜ୍ୟ ସରକାର ଶନିବାର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୩ଜଣ ବରିଷ୍ଠ ଆଇପିଏସ୍‌ ସତ୍ୟଜିତ ମହାନ୍ତି, ମନୋଜ କୁମାର ଛାବ୍ରା ଏବଂ ସୁରେନ୍ଦ୍ର ପନଓ୍ବାରଙ୍କୁ ଡିଜି ପାହ୍ୟାଙ୍କୁ ପଦୋନ୍ନତି ଦିଆଯାଇଛି।

ପ୍ରକାଶଯୋଗ୍ୟ, ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ସ୍ତରରେ ଏକ ଅଦଳବଦଳ କରିଥିଲେ। ୧୯୮୯ ବ୍ୟାଚ ଆଇଏଏସ୍‌ ପ୍ରଦୀପ କୁମାର ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି। ତାଙ୍କୁ ଅତିରିକ୍ତ ଭାବେ ଏସଆର୍‌ସି ଓ ଓସ୍‌ଡମା ଏମ୍‌ଡି ଦାୟିତ୍ୱ ଦିଆଯାଇଛି। ୧୯୮୯ ବ୍ୟାଚ ଆଇଏଏସ୍‌ ଡକ୍ଟର ମୋନା ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି। ୧୯୯୦ ବ୍ୟାଚ ଆଇଏଏସ ସଞ୍ଜୀବ ଚୋପ୍ରା ହେଲେ ଗୃହ ବିଭାଗର ପ୍ରମୁଖ ସଚିବ। ଚୋପ୍ରାଙ୍କୁ ଅତିରିକ୍ତ ଭାବେ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱ ଦିଆଯାଇଛି। ସେହିପରି ୧୯୯୧ ବ୍ୟାଚ ଆଇଏଏସ୍‌ ଡକ୍ଟର ସୌରଭ ଗର୍ଗଙ୍କୁ ଅତିରିକ୍ତ ଭାବେ ସିଏମ୍‌ଡି, ଗ୍ରିଡ୍‌କୋ, ଓପିଟିସିଏଲ୍‌ ଏବଂ ସିଇଓ ଓସିପିଏଲ୍‌ ଦାୟିତ୍ୱ ମିଳିଛି। ଡକ୍ଟର ଗର୍ଗ ଏବେ କୃଷି ବିଭାଗର ପ୍ରମୁଖ ସଚିବ ଅଛନ୍ତି।୧୯୯୫ ବ୍ୟାଚ୍‌ ଆଇଏଏସ୍‌ ହେମନ୍ତ ଶର୍ମା ହେଲେ ଶିଳ୍ପ ସଚିବ ଶର୍ମାଙ୍କୁ ଅତିରିକ୍ତ ଭାବେ ଏମଏସ୍‌ଏମ୍‌ଇ ଓ ଇପିକଲର ସିଏମ୍‌ଡି ଦାୟିତ୍ୱ ଦିଆଯାଇଛି। ୧୯୯୫ ବ୍ୟାଚ ଆଇଏଏସ ବିଷ୍ଣୁ ପଦ ସେଠୀ ହେଲେ ଶକ୍ତି ସଚିବ। ସେଠୀଙ୍କୁ ଅତିରିକ୍ତ ଭାବେ ଓଏଚ୍‌ପିସିର ସିଏମ୍‌ଡି ଦାୟିତ୍ୱ ମିଳିଛି। ୧୯୯୫ ବ୍ୟାଚ ଆଇଏଏସ୍‌ ଚିତ୍ରା ଅରୁମୁଗମ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ। ୧୯୯୮ବ୍ୟାଚ ଆଇଏଏସ ବିଶାଳ ଗଗନ ନେଲେ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ। ଗଗନ ଏବେ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ପଦରେ ଅଛନ୍ତି। ୨୦୦୭ ବ୍ୟାଚ ଆଇଏଏସ୍‌ ଅରବିନ୍ଦ ଅଗ୍ରୱାଲଙ୍କୁ ଅତିରିକ୍ତ ଭାବେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି। ଅଗ୍ରୱାଲ ସମାଜ କଲ୍ୟାଣ ନିର୍ଦ୍ଦେଶକ ସହିତ ମହିଳା ବିକାଶ ସମବାୟ ନିଗମ ଦାୟିତ୍ୱରେ ଅଛନ୍ତି।

Share