Categories: ବାଣିଜ୍ୟ

ପୁଣି ଆକ୍ସନରେ ମୋଦି ସରକାର;୧୫ ବରିଷ୍ଠ ଆୟକର ଅଧିକାରୀ ଜବରଦସ୍ତ ବିଦା

ନୂଆଦିଲ୍ଲୀ,୨୮-୯: ଅପାରଗ ଅଧିକାରୀଙ୍କ ବିରୋଧରେ ପୁନର୍ବାର ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି, ସିବିଆଇ ମାମଲା ଓ ଅନ୍ୟ କେତେକ କାରଣ ଯୋଗୁ ସରକାର ୧୫ ଜଣ ବରିଷ୍ଠ ଆୟକର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଛନ୍ତି।
ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ପକ୍ଷରୁ ସିଆଇଟି, ଜେସିଆଇଟି, ଆଡିଶନାଲ ସିଆଇଟି, ଏସିଆଇଟି ପଦରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀଙ୍କୁ ମୌଳିକ ନିୟମ ୫୬(ଜେ) ଅଧୀନରେ ଜବରଦସ୍ତ ଅବସର ଦିଆଯାଇଛି। ସେମାନଙ୍କ ବିରୋଧରେ ମୁଖ୍ୟତଃ ଦୁର୍ନୀତି ଅଭିଯୋଗ ରହିଛି। ସୂଚନାଥାଉ କି, ନିଜ କ୍ଷମତାର ଦୁରୂପଯୋଗ କରି ଦୁର୍ନୀତିରେ ଲିପ୍ତ ଟିକସ ଅଧିକାରୀଙ୍କୁ ଜବରଦସ୍ତ ଅବସର ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ନିଜର ଉଦ୍‌ବୋଧନରେ କହିଥିଲେ। ଗଣମାଧ୍ୟମକୁ ଏକ ସାକ୍ଷାତ୍‌କାର ଦେଇ ସେ ପୁଣି ଏହାକୁ ଦୋହରାଇଥିଲେ ଏବଂ କହିଥିଲେ ଯେ, ଏଭଳି ଦୁର୍ନୀତିଗ୍ରସ୍ତ ଆୟକର ବ୍ୟକ୍ତି ଟିକସଦାତାଙ୍କୁ ଅଯଥା ହଇରାଣ କରୁଛନ୍ତି। ଏଥିପୂର୍ବରୁ ସିବିଡିଟି ୧୨ ଅଧିକାରୀଙ୍କ ସମେତ ୪୯ ଉଚ୍ଚ ପଦରେ କାର୍ଯ୍ୟରତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ସୂଚନାଥାଉ କି, ଜୁନ୍‌ରେ ସରକାର ଦୁର୍ନୀତି ଅଭିଯୋଗରେ ସିବିଆଇସିର ୧୫ ଜଣ କମିଶନର ର଼୍ୟାଙ୍କର ଅଧିକାରୀଙ୍କୁ ଚାକିରିରୁ ବିଦା କରିଥିବା ବେଳେ ୧୨ ଆଇଆର୍‌ଏସ୍‌ ଅଧିକାରୀଙ୍କୁ ଜବରଦସ୍ତ ଅବସର ଦିଆଯାଇଥିଲା। ସେହିପରି ଅଗଷ୍ଟରେ ୨୨ ସିବିଆଇସି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।

Share