ପୁଣି ଆରମ୍ଭ ହେଲା ଉଚ୍ଛେଦ : ବଣିଆପଟିରେ ଭଙ୍ଗାଗଲା ୫ ଦୋକାନ, ଆଜି ପହଞ୍ଚିବେ ପହଞ୍ଚିବେ ଆମିକସ୍‌ କ୍ୟୁରି, ପରଖିବେ ସ୍ଥିତି

ପୁରୀ ଅଫିସ,୬।୯: ପ୍ରଶାସନ ପକ୍ଷରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ। ଦୁଇଦିନ ଛୁଟି ଓ ଦୁଇଦିନ ଛକାପଞ୍ଝା ଭିତରେ ଏହି ଅଭିଯାନ ବନ୍ଦ ରହିଥିଲା। ଗୁରୁବାର ଏମାର ମଠ ପରିସରସ୍ଥ ବଣିଆପଟିରେ ଥିବା ୫ଟି ଦୋକାନ ଭଙ୍ଗାଯାଇଛି। ଏହାକୁ ନେଇ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଦିନତମାମ୍‌ କ୍ଷତିଗ୍ରସ୍ତଙ୍କୁ ଏକାଧିକ ରାଜନେତା ଭେଟିବା ସହ ସେମାନଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷେ ଶୁକ୍ରବାର ପୁରୀ ଆସୁଛନ୍ତି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଏବଂ ସଲିସିଟର ଜେନେରାଲ। ସେମାନେ ଉଚ୍ଛେଦ ଅଭିଯାନର ବାସ୍ଥବ ସ୍ଥିତି ପରଖିବା ସହ ବିଭିନ୍ନ ପକ୍ଷଙ୍କ ମତ ସଂଗ୍ରହ କରିବେ। ଏହି ତମାମ୍‌ ପ୍ରସଙ୍ଗକୁ ଦେଖିଲେ ଉଚ୍ଛେଦକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ଜଣାପଡୁଛି।
ପୂର୍ବରୁ ଏମାର ମଠ ଉଚ୍ଛେଦ ଅଧାରେ ରହିଛି। ମଠର କୋଠିଘର, ରଘୁନନ୍ଦନ ଲାଇବ୍ରେରି ସମେତ ପ୍ରାୟ ୨୪ରୁ ଊର୍ଦ୍ଧ୍ୱ ଦୋକାନ ଭଙ୍ଗା ଯାଇଥିବାବେଳେ ମୁଖ୍ୟ କୋଠା ଉଚ୍ଛେଦ ହୋଇପାରି ନାହିଁ। ମଠ ମହନ୍ତ ରହୁଥିବା ଘର ଛାଡୁ ନ ଥିବାରୁ ପ୍ରଶାସନ ସେହିଠାରେ ଅଟକି ଯାଇଛି। ଏମାର ମଠ ପରିସର ବଣିଆପଟିରେ ଥିବା ୫ଟି ଦୋକାନକୁ ଗୁରୁବାର ସକାଳୁ ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ଦୋକାନଗୁଡ଼ିକୁ ଖାଲି କରାଯାଇଥିଲା। ତେବେ ବଡ଼ ଆଖଡା ମଠକୁ ନେଇ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ମଙ୍ଗଳବାର ବଡ଼ ଆଖଡା ମଠ ଭଙ୍ଗାଯିବ ବୋଲି ପ୍ରଶାସନ ଘୋଷଣା କରିଥିଲା। ତେବେ ମଠରେ ସାଧୁସନ୍ଥ ମେଳି ବାନ୍ଧି ପ୍ରଶାସନକୁ ବିରୋଧ କରିବାରୁ ଉଚ୍ଛେଦକୁ ସ୍ଥଗିତ ରଖାଯାଇଥିଲା। ବୁଧବାର ପୁରୀ ସୁରକ୍ଷା ମଞ୍ଚ ଏ ନେଇ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ବିପଦସଙ୍କୁଳ ବ୍ୟବସାୟିକ କୋଠା ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ଜିଲାପାଳ କହିଥିଲେ। ଗୁରୁବାର ପ୍ରଶାସନିକ ଅଧିକାରୀମାନେ ସହରର ବିଭିନ୍ନ ଜାଗା ବୁଲି ଦେଖିଛନ୍ତି। ୭୫ମିଟର ପାଇଁ କ୍ଷତିଗ୍ରସ୍ତ ହେଉଥିବା ପରିବାର ଓ ବ୍ୟବସାୟୀଙ୍କ ଲାଗି କେଉଁଠି ଘର, ଦୋକାନ ତିଆରି କରାଯିବ ସେ ନେଇ ଜାଗା ଖୋଜିଥିବା ଜଣାପଡ଼ିଛି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି, କ୍ଷତିଗ୍ରସ୍ତଙ୍କୁ କିପରି ଉପଯୁକ୍ତ ଭାବେ ଥଇଥାନ କରାଯିବ ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।
ଅପରପକ୍ଷେ ୭୫ମିଟର ଉଚ୍ଛେଦକୁ ନେଇ ସୁପ୍ରିମ୍‌କୋର୍ଟରେ ମାମଲା ରୁଜୁ ହୋଇଥିଲା। ସୁପ୍ରିମ୍‌କୋର୍ଟ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲଙ୍କୁ ଆସନ୍ତା ୯ ଓ ୧୦ ତାରିଖରେ ପୁରୀ ଆସି ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ତାରିଖରେ ପରିବର୍ତ୍ତନ ହୋଇଛି। ଶୁକ୍ରବାର ଆମିକସ୍‌କ୍ୟୁରି ଏବଂ ସଲିସିଟର ଜେନେରାଲ ପୁରୀ ଆସୁଛନ୍ତି। ସେମାନଙ୍କର ଦୁଇଦିନିଆ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

Share