ପୁଣି ଇଭିଏମ୍‌ ଦୋଷ: ପ୍ରଶ୍ନ ଉଠାଇଲେ ବିରୋଧୀ

ମୁମ୍ବାଇ/ଲକ୍ଷ୍ନୌ,୨୪।୪(ପି.ଟି.): ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ତ୍ରୁଟି ଦେଖାଦେଇଛି। ଏହାକୁ ନେଇ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଇଭିଏମ୍‌କୁ ଦୋଷ ଦେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।
ଏନ୍‌ସିପି, ଟିଡିପି, ଟିଏମ୍‌ସି, ଏଏପି, ସିପିଆଇ, ସିପିଆଇଏମ୍‌ ଏବଂ ଡିଏମ୍‌କେ ପକ୍ଷରୁ ଆୟୋଜିତ ଏକ ମିଳିତ ଖବରଦାତା ସମ୍ମିଳନୀରେ ପାଓ୍ବାର କହିଛନ୍ତି, ଦେଶବାସୀ ମୋଦିଙ୍କ ନେତୃତ୍ୱାଧୀନ ସରକାରକୁ ହଟାଇ ନୂଆ ସରକାର ଗଠନ ପାଇଁ ଚାହୁଁଛନ୍ତି। କିନ୍ତୁ ଇଭିଏମ୍‌ରେ ହେରଫେର ହେଉଛି ଚିନ୍ତାର ବିଷୟ। ସେହିପରି ଭାଜପା କେବଳ ଚାଲବାଜି କରି ଭୋଟ ହାତଉଛି ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସମାଲୋଚନା କରିଛନ୍ତି। ଏଏପି ନେତା ସଞ୍ଜୟ ସିଂ କହିଛନ୍ତି, ଯେଉଁ ବଟନ ଦବାଇଲେ ଭାଜପାକୁ ଭୋଟ ଯାଉଛି। ନିର୍ବାଚନ କମିଶନ ଏସବୁ ଜାଣି ଧୃତରାଷ୍ଟ୍ରଙ୍କ ଭଳି ଅଭିନୟ କରୁଛନ୍ତି। ଉତ୍ତରପ୍ରଦେଶର ୮୦ ଲୋକ ସଭା ଆସନରୁ ୧୦ଟିରେ ଭୋଟଗ୍ରହଣ କରାଯାଇଛି। ଅନେକ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଯାଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ଡିଜିଟାଲ ଇଣ୍ଡିଆରେ ଏତେସଂଖ୍ୟକ ଇଭିଏମ୍‌ କାହିଁକି ଖରାପ ହେଉଛି। ଏଥିଯୋଗୁ ସନ୍ଦେହ ଜାତ ହେଉଛି। ନିର୍ବାଚନ କମିଶନ ଏହାକୁ ନେଇ ଯାଞ୍ଚ କରାଇବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଅଖିଳେଶ ଦାବି କରିଛନ୍ତି।

Share