ପୁଣି ଉତ୍କଟ ହେଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୭ା୬(ଆଇଏଏନ୍‌ଏସ୍‌): ଲକ୍‌ଡାଉନର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୬ଟି ପ୍ରମୁଖ ସହରରେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇଥିଲା। ତେବେ ଧୀରେ ଧୀରେ ଲକ୍‌ଡାଉନ ଖୋଲିବା ସହ ପ୍ରଦୂଷଣ ପୁଣି ବଢ଼ିବା ଆରମ୍ଭ କରିଛି। ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ମିଳିଛି। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭାଇରନମେଣ୍ଟ (ସିଏସ୍‌ଇ)ର ଅଧ୍ୟୟନ ଅନୁଯାୟୀ ଲକ୍‌ଡାଉନ ବେଳେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ପିଏମ୍‌ ୨.୫ ସ୍ତର ୪୫ରୁ ୮୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ତେବେ ଦେଶ ଲକ୍‌ଡାଉନ ୪.୦ରେ ପ୍ରବେଶ କରିବା ସହ ଅର୍ଥନୈତିକ କାରବାର ବଢ଼ାଇବା ପାଇଁ କଳକାରଖାନା ଖୋଲିବା ଓ ଗାଡ଼ି ଚଳାଚଳକୁ ଅନୁମତି ମିଳିଥିଲା। ଫଳରେ ପୁଣିଥରେ ପ୍ରଦୂଷଣ ବଢ଼ିବା ଆରମ୍ଭ ହୋଇଥିଲା ବୋଲି ଅଧ୍ୟୟନରୁ ଜଣାପଡିଛି। ଲକ୍‌ଡାଉନ ୪.୦ ବେଳେ ପିଏମ୍‌ ୨.୫ ସ୍ତର ୨ରୁ ୬ ଗୁଣ ବଢ଼ିଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଏପରିକି ରାଜଧାନୀ ଦିଲ୍ଲୀରେ ଏହି ସ୍ତର ୪ରୁ ୮ ଗୁଣ ବଢ଼ିଥିବା ଜଣାପଡିଛି।
ଲକ୍‌ଡାଉନର ପ୍ରାରମ୍ଭିକ ପର୍ଯ୍ୟାୟରେ କଳକାରଖାନା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ଯଥେଷ୍ଟ କମ୍‌ ଥିଲା। ଏଥିସହିତ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା। ସେଥିପାଇଁ ବାୟୁ ପ୍ରଦୂଷଣ ହ୍ରାସ ପାଇଥିଲା। ଆକାଶକୁ ନୀଳ ଓ ବାୟୁ ତଥା ଆମ ଫୁସ୍‌ଫୁସ୍‌କୁ ସ୍ବଚ୍ଛ ରଖିବାକୁ ହେଲେ ମଝିରେ ମଝିରେ ଏଭଳି ବଡ଼ ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି ସିଏସ୍‌ଇର ମହାନିର୍ଦ୍ଦେଶକ ସୁନୀତା ନାରାଇନ୍‌ କହିଛନ୍ତି।

Share